ତଣ୍ଟି କାଟି ଗୁରୁତର ହୋଇଥିଲେ,ମେଡିକାଲ ନେବାରୁ ଛାତରୁ ଡେଇଁଲେ, ପରେ…

ସମ୍ବଲପୁର,୧୩।୮ (ପ୍ରମୋଦ ବହିଦାର): ଭୀମସାରରେ ପୁଣି ଏକ ଅଘଟଣ ଘଟିଛି। ଜଣେ ରୋଗୀ ବୁଧବାର ସକାଳେ ଭୀମସାର ପ୍ରଥମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ଭାଟିଗାଓଁର ସୁବୀର ସିରଦାର(୨୮) ବୋଲି ଜଣାପଡ଼ିଛି। ମଙ୍ଗଳବାର ରାତିରେ ଭାଟିଗାଓଁର ସୁବୀର ସିରଦାର ଏକ ଧାରୁଆ ଅସ୍ତ୍ରରେ ନିଜ ତଣ୍ଟି କାଟି ଗୁରୁତର ହୋଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ବୁଧବାର ପ୍ରାତଃରେ ଭୀମସାରକୁ ସ୍ଥାନାନ୍ତର କରିଥିଲା। ଭୀମସାର ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଅସ୍ତ୍ରୋପଚାର ପାଇଁ ଭୀମସାର ପ୍ରଥମ ମହଲାରେ ଥିବାା(ଇଏନ୍‌ଟି) ବିଭାଗର ଅସ୍ତ୍ରୋପଚାର କକ୍ଷକୁ ତାଙ୍କୁ ଷ୍ଟ୍ରେଚରରେ ଅଣା ଯାଇଥିଲା। ଅସ୍ତ୍ରୋପଚାର କକ୍ଷ ସମ୍ମୁଖରେ ତାଙ୍କୁ ସାଙ୍ଗରେ ଧରି ପରିବାର ଲୋକଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଏହି ସମମୟରେ ପରିବାର ଲୋକଙ୍କ ଅନ୍ୟମନସ୍କତାର ସୁଯୋଗରେ ସେ ଷ୍ଟ୍ରେଚରରୁ ଉଠି ହଠାତ୍‌ ଦୌଡ଼ିଯାଇ ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ଉଦ୍ଧାର କରି ଭୀମସାରରେ ଭର୍ତ୍ତି କରିଥିଲେ।