ନିରାକାରପୁର,୧୦।୨(ମାନସ ଚନ୍ଦ୍ର ପଟ୍ଟନାୟକ): କାମ ସାରି ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ରାମେଶ୍ୱର ପଞ୍ଚାୟତ ଖଜୁରୀପଡା ମୁସଲମାନ ସାହିର ସେକ୍ ଅତାଉଲ୍ଲା ଓରଫ ଅତା(୩୪)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ପୋଲିସ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିଛି। ଏନେଇ ନିରାକାରପୁର ଥାନା ପୋଲିସ ଏକ ମାମଲା(ନଂ.୩୫/୨) ରୁଜୁ କରିଛି।
ମିଳିଥିବା ସୂଚନା ମୁତାବକ, ସେକ୍ ଅତାଉଲ୍ଲା ଗୟାବନ୍ଧସ୍ଥିତ ଏକ ଢାବାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସେ ସବୁଦିନ ପରି ଢ଼ାବାରେ କାମ ସାରି ରାତିରେ ଘରକୁ ଫେରନ୍ତି। ସେହିପରି ରବିବାର ରାତିରେ ସେ କାମ ସାରି ନିଜ ବାଇକ୍(ନଂ.ଓଡି-୦୨-ବିବି-୬୯୯୭) ଯୋଗେ ଘରକୁ ଫେରୁଥିବା ବେଳେ ନୂଆ ଜଗନ୍ନାଥ ସଡ଼କ ସ୍ଥାନୀୟ ଏକ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ହେଲେ ଅତାଉଲ୍ଲାଙ୍କ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କର ସାନଭାଇ ସେକ ସାଫିକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଥାଉକି ଅତାଉଲ୍ଲାଙ୍କ ୩ ଛୋଟ ଝିଅ ଥିବା ବେଳେ ସେ ଜଣେ ଗରିବ ଶ୍ରେଣୀର ଅଟନ୍ତି । ତେଣୁ ପ୍ରଶାସନ ପକ୍ଷରୁ ପରିବାରକୁ ତରଫରୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।