ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ ଥାନା ପୋଲିସ କୋର୍ଟଚାଲାଣ କରିଛି । ଗିରଫ ଯୁବକ ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ଗ ଗ୍ରାମର ପ୍ରକାଶ ସାହୁ (୨୬) ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ ପିଡିତା (୨୬) ସମ୍ବଲପୁର ଜିଲାର ହୋଇଥିବାବେଳେ ଦେବଗଡରେ ରହି ପାଠ ପଢୁଥିଲେ । ପ୍ରାୟ ୬ ବର୍ଷ ହେଲା ପ୍ରକାଶଙ୍କ ସହିତ ପୀଡିତାଙ୍କ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ପୀଡିତା ଦେବଗଡ ଥାନା ଅଞ୍ଚଳରେ ଘରଭଡା ନେଇ ଏକୁଟିଆ ରହୁଥିବାବେଳେ ଏହାର ସୁଯୋଗ ନେଇ ପ୍ରକାଶ ତାଙ୍କୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଗତ କିଛି ଦିନ ତଳେ ପ୍ରକାଶଙ୍କୁ ବିବାହ ପ୍ରସ୍ତାବ ଦେବା ସହିତ ବାହାଘର ପାଇଁ କହିଥିଲେ । ମାତ୍ର ପ୍ରକାଶ ଏଥିରେ ରାଜି ହୋଇନଥିବାବେଳେ ବାହା ହେବା ପାଇଁ ସିଧା ସିଧା ମନା କରି ଦେଇଥିଲେ। ଫଳରେ ସୋମବାର ଯୁବତୀ ଦେବଗଡ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରି ପ୍ରକାଶଙ୍କୁ ଗିରଫ କରିବା ସହିତ କୋର୍ଟଚାଲାଣ କରିଛି। ମାତ୍ର ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Dharitri – Odisha’s No.1 Odia Daily