ଦିଗପହଣ୍ଡି, ୩୦।୧୦(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଜଣେ ବିବାହିତାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ପୋଲିସ ଶୁକ୍ରବାର ଅଭିଯୁକ୍ତ ପପୁ ଦାସଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୮୧/୨୫ ଅନୁଯାୟୀ ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପପୁ ତାଙ୍କ ସାହିର ୨ଟି ସନ୍ତାନ ଥିବା ଜଣେ ମହିଳାଙ୍କୁ ସ୍ତ୍ରୀର ମର୍ଯ୍ୟାଦା ଦେବାର ପ୍ରତିଶ୍ରୁତି ଦେଇ ପ୍ରେମ କରିବା ସହ ନିୟମିତ ବ୍ୟବଧାନରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ମହିଳାଙ୍କ ସ୍ବାମୀ ଘଟଣା ଜାଣିବା ପରେ ସାହିରେ ସଭା କରିଥିଲେ। ସଭାରେ ମହିଳା ଜଣଙ୍କ ବିବାହ ପାଇଁ ପପୁଙ୍କୁ କହିବାରୁ ସେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ସ୍ବାମୀ ଓ ସାହି ବାସିନ୍ଦାଙ୍କ ପରାମର୍ଶ କ୍ରମେ ମହିଳା ଜଣଙ୍କ ଏନେଇ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସଆଇ ସୁଲେମାନ ଭୁୟାଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଇବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।
\