୩୦ ବର୍ଷରୁ ଅଧିକ ଦିନ ହେବ ଝାଟିମାଟି ଘରେ ବିତାଉଛନ୍ତି ଜୀବନ, ଭତ୍ତା ପାଇବାରୁ ବି ବଞ୍ଚିତ

କେସିଙ୍ଗା, ୨୦।୮(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କନ୍ତେଶିର ଗ୍ରାମ ପଞ୍ଚାୟତର ଗେଠିପଡାର ନିବାସୀ ପଦ୍ମଲୋଚନ ରଣା( ୬୫) ଓ ତାଙ୍କ ସ୍ତ୍ରୀ ସେବତୀ ରଣା (୬୩ ) ଦୀର୍ଘ ୩୦ ବର୍ଷ ହେଲାଣି ଝାଟି ମାଟି ଘରେ ଜୀବନ ବିତାଇ ଆସୁଛନ୍ତି। ବର୍ଷା ଋତୁରେ ଖପର ରୁ ପାଣି ଗଳୁଥିବାରୁ ପାଲ ଢାଙ୍କି ରହୁଛନ୍ତି। ଘର ଖଣ୍ଡିଏ ପାଇବା ପାଇଁ ବହୁ ବାର ବ୍ଲକ କାର୍ଯ୍ୟାଳୟ, ସ୍ଥାନୀୟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହୋଇ ପଡିଛନ୍ତି ପଦ୍ମଲୋଚନ ରଣା । ପଦ୍ମଲୋଚନ ଗୋଟିଏ ପୁଅକୁ ବିବାହ କରିଦେବା ପରେ ସେ ଅଲଗା ରହୁଛନ୍ତି। ଏହା ସହିତ ଗୋଟିଏ ଝିଅକୁ ମଧ୍ୟ ବାହା ଦେଇସାରିଛନ୍ତି।

କନ୍ତେଶିର ଗ୍ରାମର ବସ୍ତିରେ ରହୁଥିବା ବେଳେ ଘର ଭାଙ୍ଗି ଯିବାରୁ ବସ୍ତିରୁ ଯାଇ ଗେଠିପଡାରେ ଝାଟି ମାଟି ଘର ଖଣ୍ଡିଏ ନିର୍ମାଣ କରିଥିଲେ। ବର୍ଷା ଋତୁରେ ପାଣି ଗଳୁଥିବାରୁ ଘର ଭିତରେ ଓଦା ହୋଇ ଯାଉଛି। ଘରକୁ ସମ୍ପୂର୍ଣ୍ଣ ରୂପେ  ପଲିଥିନ ଖଣ୍ଡେ ଘୋଡାଇବାର ସମର୍ଥ ମଧ୍ୟ ନାହିଁ। କୁଳିମଜୁରୀ କରି ସ୍ବୀମୀ ସ୍ତ୍ରୀ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ପଦ୍ମଲୋଚନ ଓ ତାଙ୍କ ସ୍ତ୍ରୀ ଭତ୍ତା ପାଇଁ ମଧ୍ୟ ବହୁ ବାର ଗ୍ରାମ ପଞ୍ଚାୟତ ଓ ବ୍ଲକରେ ଆବେଦନ କରିଥିଲେ ମଧ୍ୟ ଆଜି ଯାଏ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ କନ୍ତେଶିର ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ରାଣୀ ନାଗଙ୍କୁ ପଚାରିବାରୁ ଘର ଓ ଭତ୍ତା ପାଇଁ ଅନଲାଇନରେ ଆବେଦନ କରାଯାଇଛି ବୋଲି ପ୍ରକାଶ କରିଥିଲେ।