ଏନ୍‌ସିବି ଅଧିକାରୀଙ୍କ କାର୍ଯ୍ୟ ସନ୍ଦେହଜନକ ଥିଲା

ମୁମ୍ବାଇ,୧୯ା୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ ସମ୍ପୃକ୍ତ ଥିବା କ୍ରୁଜ୍‌ ଜାହାଜ ଡ୍ରାଗ୍ସ ଜବତ ମାମଲାର ତଦନ୍ତରେ ଅନେକ ଅନିୟମିତତା ହୋଇଥବା ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡ଼ିଛି। ଏନ୍‌ସିବିର ୭-୮ ଜଣ ଅଫିସରଙ୍କ ଆଚରଣ ସନ୍ଦେହଜନକ ଥିଲା ବୋଲି ଏସ୍‌ଆଇଟି ତଦନ୍ତ ରିପୋର୍ଟରେ କୁହାଯାଇଛି। କ୍ରୁଜ୍‌ ଜାହାଜ ଚଢ଼ାଉରେ ସମ୍ପୃକ୍ତ ଅଫିସରମାନଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ ପାଇଁ ଦ୍ୱିତୀୟ ବଡ଼ ଝଟକା। ଡ୍ରଗ୍ସ ରଖିବା ଅଭିଯୋଗରେ ଗିରଫ ହୋଇ ଆର୍ୟନ ୩ ସପ୍ତାହ ଜେଲରେ ରହିବାର ୮ ମାସ ପରେ ଗତ ମେ’ରେ ତାଙ୍କୁ କ୍ଲିନ୍‌ଚିଟ ଦିଆଯାଇଥିଲା। ତାଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନ ଥିବା ଏନ୍‌ସିବି ସ୍ବୀକାର କରିଥିଲା।