ନୂଆଦିଲ୍ଲୀ,୨୦।୩: ଏଚ୍ଡିଏଫ୍ସି ବ୍ୟାଙ୍କର ପାର୍ଟଟାଇମ୍ ଅଧ୍ୟକ୍ଷ ଅତନୁ ଚକ୍ରବର୍ତ୍ତୀ ବୁଧବାର ଅଚାନକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କର ପ୍ରଶାସନ, ମନୋନୟନ ଓ ବେତନ କମିଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଅତନୁ ଦର୍ଶାଇଛନ୍ତି, ଗତ ୨ ବର୍ଷ ହେଲା ସେ ଦେଖିଆସୁଥିବା ବ୍ୟାଙ୍କର ବିଭିନ୍ନ ଘଟଣା ଓ କାର୍ଯ୍ୟଧାରା ତାଙ୍କର ବ୍ୟକ୍ତତିଗତ ମୂଲ୍ୟବୋଧ ଓ ନୈତିକତା ସହ ମେଳ ଖାଉନାହିଁ । ସେହି କାରଣରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।
ଅତନୁଙ୍କ ଇସ୍ତଫା ପରେ ରିଜର୍ଭ ବ୍ୟାଙ୍କ ଗୁରୁବାର କେକି ମିସ୍ତ୍ରିଙ୍କୁ ଅନ୍ତରୀଣ ପାର୍ଟଟାଇମ୍ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ଅତନୁଙ୍କ ଇସ୍ତଫାର କିଛି ଘଣ୍ଟା ମଧ୍ୟରେ ଶେୟାର ବଜାରରେ ନିବେଶକଙ୍କ ଶେୟାର ୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଥିଲା। କାରବାର ଆରମ୍ଭରେ ବ୍ୟାଙ୍କ ଶେୟାର ମୂଲ୍ୟ ୭୭୦ ଟଙ୍କା ଥିବାବେଳେ ତାହା ୮.୬୬ ପ୍ରତିଶତ ହ୍ରାସ ପାଇଥିଲା, ଯାହାକି ୫୨ ସପ୍ତାହ ମଧ୍ୟରେ ସର୍ବନିମ୍ନ।