ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ, ଶଙ୍କରାଡିଆ, ସୁନାଡିଆ ଆଦି ଅଞ୍ଚଳରେ ଅତିଥି ପକ୍ଷୀମାନେ ମନ ମାରି ବସିଛନ୍ତି। ତାଙ୍କ ଫେରାଦ ”ଆମେ କ’ଣ ଅତିଥି ନୋହୁଁ? ଚିଲିକା ନଳବଣ ଅଭୟାରଣ୍ୟର ଆୟତନ ମାତ୍ର ୧୫.୫୩ ବର୍ଗ କି.ମି.। ଆମେ ଏତେ ଏତେ ସଂଖ୍ୟକ ବିଦେଶାଗତ ଅତିଥି ସେତିକି ଜାଗାରେ କେମିତି ବା ରହନ୍ତୁ? ପାଖାପାଖି ଅନ୍ୟ ପାଣି ଆଶ୍ରା ଜାଗା ଦେଖି ଆମେ ବସିଗଲୁ ବୋଲି ‘ସାଇବେରିଆନ୍ କ୍ରେନ୍’ ନ କହି ଆମକୁ ଦେଶୀ ନଁାରେ ଡକାଗଲାଣି। ଆମ ପାଇଁ ସିକ୍ୟୁରିଟି ବ୍ୟବସ୍ଥା ନାହିଁ। କିଏ ଅଠାକାଠିରେ, କିଏ ବିଷ ଦେଇ ତ କିଏ ଗୁଳି ଫୁଟାଇ ଶିକାର କରୁଛି। ଗାଁ ଗହଳିରେ ଦିନ ଦ୍ୱିପ୍ରହରରେ ବି ବିକ୍ରି ଚାଲିଛି ପକ୍ଷୀଙ୍କ ମାଂସ; ମାତ୍ର ୩୦୦ରୁ ୪୦୦ ଟଙ୍କା କିଲୋରେ। ସମସ୍ତେ ସ୍ବଳ୍ପ ମୂଲ୍ୟ ବିନିମୟରେ ବିଦେଶୀ ଅତିଥିଙ୍କ ମାଂସର ସ୍ବାଦ ଚାଖିପାରୁଛନ୍ତି। ବନ ବିଭାଗ କର୍ମଚାରୀ ମଝିରେ ମଝିରେ ଚଢ଼ାଉ କରୁଛନ୍ତି। ତାଙ୍କୁ ମଧ୍ୟ କିଛି ବିରଳ ପକ୍ଷୀର ମାଂସ ଭେଟି ଦେଲେ କାର୍ଯ୍ୟାନୁଷ୍ଠାନ ହୁଗୁଳା ହୋଇଯାଉଛି। ପରିବେଶବିତ୍ମାନେ କିନ୍ତୁ ନଛୋଡ଼ବନ୍ଦା। ବାରମ୍ବାର ସ୍ବର ଉତ୍ତୋଳନ କରିଚାଲିଛନ୍ତି- ‘ରକ୍ଷକ ସାଜିଛି ଭକ୍ଷକ’। ଏଇ ପରିବେଶବିତ୍ମାନେ ହିଁ ଆମର ଭରସା।“
ନଭେମ୍ବର ମାସରୁ ସମସ୍ତଙ୍କ ନଜର ଚିଲିକା ଉପରେ। ଏବେ ଜାନୁଆରୀ ୨୦୨୬ରେ ପକ୍ଷୀଗଣନା ସରିଲା। ୨୦ ଜାନୁଆରୀ ସୁଦ୍ଧା ୧୯୬ ପ୍ରଜାତିର ୧୧ ଲକ୍ଷ, ୩୨ ହଜାର, ୨୦୦ ବିଦେଶୀ ଅତିଥି ପକ୍ଷୀ ଆସିଥିଲେ ବୋଲି ବନ ବିଭାଗ ଘୋଷଣା କରିଛି। ଗତବର୍ଷ ମାତ୍ର ୧୦୬ ପ୍ରଜାତିର ପକ୍ଷୀ ବିଦେଶରୁ ଓଡ଼ିଶା ଆସିଥିଲେ ଓ ସେମାନଙ୍କର ସଂଖ୍ୟା ଥିଲା ମାତ୍ର ୧୧ ଲକ୍ଷ, ୧୦ ହଜାର ୨୫୭। ତେଣୁ ଏବର୍ଷ ପ୍ରାୟ ୪,୯୭୨ ଅଧିକ ପକ୍ଷୀ ଆସିଛନ୍ତି। କେବଳ ନଳବଣରେ ଠୁଳ ହୋଇଛନ୍ତି ୫୪,୩୬୧ ପକ୍ଷୀ। ଏ ପରିସଂଖ୍ୟାନକୁ ସାର୍ବଜନୀନ କରିବା ପାଇଁ ବନ ବିଭାଗ ପାଞ୍ଚଟି ରେଞ୍ଜରେ ୨୨ଟି ଟିମ୍କୁ ନିୟୋଜିତ କରିଥିଲେ। ଯାହା ଚାକ୍ଷୁଷ ଗଣତିରୁ ଜଣାପଡ଼ିଛି, ପ୍ଲେନ୍ ମାର୍ଟିନ୍ ଓ ବେଙ୍ଗଲ୍ ବୁଶ୍ ଲାର୍କ ନାମକ ଦୁଇଟି ପ୍ରଜାତିର ନୂଆ ପକ୍ଷୀ ଏ ବର୍ଷ ଚିଲିକାକୁ ଆସିଛନ୍ତି। ତେଣୁ ସରକାରଙ୍କ ତରଫରୁ ସବୁ ତତ୍ପରତା ସେଇଠି। ଗୋଟିଏ ସେକ୍ସନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି। ଚିଲିକା କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରାୟ ୨୦ଟି ସୁରକ୍ଷା କ୍ୟାମ୍ପ ଗଠନ କରାଯାଇଛି। ପୂର୍ବତନ ଜଣାଶୁଣା ପକ୍ଷୀ ଶିକାରୀଙ୍କୁ ନେଇ ଏହି ପକ୍ଷୀ ସୁରକ୍ଷା କମିଟି ଗଠିତ। ସ୍ଥାନୀୟ ଗ୍ରାମବାସୀଙ୍କୁ ମଧ୍ୟ ସାମିଲ କରାଯାଇଛି। ପ୍ରତିଦିନ ପ୍ରାୟ ୫/୬ ଢାବା ଉପରେ ଅତର୍କିତ ଚଢ଼ାଉ କରାଯାଉଛି। ଡି.ଏଫ୍.ଓ. ସାହେବଙ୍କ ଭାଷାରେ ‘ବିଲେଇକୁ ମାଛଭଜା ଜଗେଇବାରୁ ସୁଫଳ ମିଳିଲା’। ଚିଲିକାରେ ପକ୍ଷୀ ଶିକାର ଏବେ କମୁଛି। ଚିଲିକା ଅଞ୍ଚଳରେ ପ୍ରାୟ ୧୫୦ ପୂର୍ବତନ ଶିକାରୀ ଏବେ ପକ୍ଷୀଙ୍କର ସୁରକ୍ଷା ଦାୟିତ୍ୱ ନେଉଛନ୍ତି। ବିଶେଷକରି ପୂର୍ବତନ ପେସାଦାର ପକ୍ଷୀ ଶିକାରୀମାନେ ଲୋକଙ୍କୁ ପକ୍ଷୀ ଶିକାରର ଅପକାରିତା ସମ୍ପର୍କରେ ବୁଝାଉଥିବାରୁ ଜନସଚେତନତା ଯଥେଷ୍ଟ ବୃଦ୍ଧି ପାଇଛି। ପକ୍ଷୀଙ୍କୁ ଦେଖିବା ପାଇଁ ମଙ୍ଗଳାଯୋଡ଼ି ଓ ନଳବଣରେ ପର୍ଯ୍ୟଟକମାନଙ୍କ ଭିଡ଼ । ତେବେ ପକ୍ଷୀମାନଙ୍କର ସ୍ବାଭାବିକ ଜୀବନ ଯେପରି ବିପର୍ଯ୍ୟସ୍ତ ନ ହୁଏ, ସେଥିପାଇଁ ନଳବଣ ମଧ୍ୟକୁ ବିଶେଷ ଅନୁମତି ବିନା କୌଣସି ବୋଟ୍କୁ ଯିବାକୁ ପ୍ରଶାସନ ତରଫରୁ ବାରଣ କରାଯାଇଛି। ପର୍ଯ୍ୟଟକମାନେ ଯେପରି ନଳବଣର ସୀମା ବାହାରୁ ପକ୍ଷୀଙ୍କୁ ଠିକ୍ଭାବେ ଦେଖିପାରିବେ, ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି।
ଆପଣ କେବେ ମୋଟରବୋଟ୍ରେ ୧୫୦୦ ଟଙ୍କା ଭଡ଼ା ଦେଇ ନଳବଣକୁ ପକ୍ଷୀ ଦେଖିବାର ସଉକ ମେଣ୍ଟାଇବା ପାଇଁ ଯାଇଛନ୍ତି କି? ଆପଣଙ୍କ ଆଖି କୌଣସି ଜୀବିତ ପ୍ରାଣୀକୁ ପକ୍ଷୀ ବୋଲି ଠଉରେଇ ପାରିବାର ଦୂରତ୍ୱରୁ ହିଁ ପକ୍ଷୀ ସୁରକ୍ଷା ପୋଲିସ୍ ଆପଣଙ୍କୁ ରୋକିଦେବେ। ଯଦି ଆପଣ ବିଦେଶୀ ଅତିଥି ପକ୍ଷୀ ଦେଖିବାର ଆଶା ମନରେ ପୋଷଣ କରିଛନ୍ତି, ତେବେ ଚିଲିକା ନ ଯାଇ ପ୍ରୟାଗରାଜ (ଆହ୍ଲାବାଦ) କି ବାରାଣସୀ ଯାଆନ୍ତୁ। ତୀର୍ଥକୁ ତୀର୍ଥ ହେବ। ତ୍ରିବେଣୀସଙ୍ଗମ ଦେଖିବାକୁ ସଡ଼କ ପଥରେ ନଯାଇ ନଦୀପଥରେ ଡଙ୍ଗାଘାଟରୁ ଯାଆନ୍ତୁ। ନଦୀପଥରେ କିଶୋରମାନେ ୧୦ ଟଙ୍କାର ସେଉ/ଗାଣ୍ଠିଆ ପ୍ୟାକେଟ ଡଙ୍ଗାରେ ବିକ୍ରି କରୁଥିବାର ଭେଟିବେ। ତାଙ୍କଠାରୁ ପ୍ୟାକେଟଟିଏ କିଣି ଆ…ଆ… ବୋଲି ଡାକନ୍ତୁ। ବିଦେଶାଗତ ପକ୍ଷୀ ଆପଣଙ୍କ ହାତରୁ ତାହା ଛଡେଇ ନେଇ ଖାଇବେ। ଘଣ୍ଟା ଘଣ୍ଟା ଧରି ଏ ଦୃଶ୍ୟ ଅବିରତ ଚାଲିବ। ଆପଣ ଯଥେଷ୍ଟ ଆମୋଦିତ ହେବେ।
ଖାଲି ଚିଲିକା କାହିଁକ, ପ୍ରୟାଗରାଜ, ବାରାଣସୀ ଭଳି ଅନେକ ଜାଗାକୁ ସାଇବେରିଆ ଆଦି ଅଞ୍ଚଳର ପକ୍ଷୀମାନେ ଶୀତଦିନେ ଆସନ୍ତି। ପ୍ରୟାଗରାଜର ସଂସ୍କୃତି ନୁହେଁ ଆମିଷ ଭକ୍ଷଣ। ଫଳତଃ ପକ୍ଷୀମାନେ ଆପଣଙ୍କ ହାତରୁ ଗାଣ୍ଠିଆ ଖାଇବେ ଓ ବିନିମୟରେ ଆମୋଦ ବିତରଣ କରିବେ। କିନ୍ତୁ ଆମ ଓଡ଼ିଶା ତ ଆମିଷ ବାବଦରେ ନିଆରା। ଏଠି ପକ୍ଷୀକୁଳ ଓଡ଼ିଆଙ୍କ ବ୍ୟବହାରରେ ନିଜକୁ ନିରାପଦ ମଣନ୍ତି ନାହିଁ। ତେଣୁ ପର୍ଯ୍ୟଟକ ଦେଖିଲେ ଦୂରକୁ ଦୂରକୁ ପଳାନ୍ତି। ତଥାପି ପ୍ରଶ୍ନ ଆସେ ଯେ ପ୍ରତ୍ୟେକ ବର୍ଷ ଅତିଥି ପକ୍ଷୀଙ୍କ ସଂଖ୍ୟା ଓଡ଼ିଶାରେ ଏତେ ବଢ଼ୁଛି କାହିଁକି? ବୋଧେ ବିଦେଶୀ ପକ୍ଷୀଙ୍କର ଓଡ଼ିଶା ପ୍ରତି ବିଶ୍ୱାସ ଅଛି ଯେ, ଓଡ଼ିଶାକୁ ଗଲେ ସଫଳ ପ୍ରଜନନ କରି ଭବିଷ୍ୟତ ଗଢ଼ି ହେବ, କିନ୍ତୁ ଓଡ଼ିଆଙ୍କୁ ଭରସା ନାହିଁ। କିଏ କହିପାରେ, କେତେବେଳେ କୋଉ କଥା। ଜୀବନ ବଞ୍ଚାଇ ନିରାପଦ ଦୂରତ୍ୱରେ ରହିଲେ ସାଇବେରିଆ ଫେରିବା କଥା ଚିନ୍ତା କରିହେବ।
ସବ୍ୟସାଚୀ ଦତ୍ତ
ମୋ: ୯୪୩୭୦୪୫୫୪୭