ହାସିନାଙ୍କୁ ପୁଣି ୫ ବର୍ଷ ଜେଲଦଣ୍ଡ

ଢାକା,୨ା୧୨: ବାଂଲାଦେଶର କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସେଠାର ଏକ ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉକ୍ତ ମାମଲାରେ ହାସିନାଙ୍କ ଝିଆରୀ ତଥା ବ୍ରିଟିଶ ପାର୍ଲାମେଣ୍ଟାରିଆନ୍‌ ତୁଲିପ୍‌ ସିଦ୍ଦିକଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇଛି। ଢାକାର ସ୍ପେଶାଲ ଜଜ୍‌ କୋର୍ଟ-୪ର ବିଚାରପତି ମହମ୍ମଦ ରାବିଉଲ୍‌ ଆଲାମ ଏକ ଦୁର୍ନୀତି ମାମଲାରେ ହାସିନାଙ୍କ ଭଉଣୀ ଶେଖ୍‌ ରେହନାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବାବେଳେ ଅନ୍ୟ ୧୪ ଜଣ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଛି। ସମସ୍ତ ୧୭ ଦୋଷୀଙ୍କ ଉପରେ ୧ ଲକ୍ଷ ଟାକା ଜରିମାନା ଲଗାଯାଇଛି। ଏହା ପୈଠ ନକଲେ ସେମାନଙ୍କୁ ଅତିରିକ୍ତ ୬ ମାସ ଜେଲରେ ରହିବାକୁ ପଡ଼ିବ। ସିଦ୍ଦିକ ଜଣେ ବ୍ରିଟିଶ-ବାଂଲାଦେଶୀ ଲେବର ପାର୍ଟି ନେତ୍ରୀ। ସେ ରେହନାଙ୍କ ଝିଅ। ହାସିନାଙ୍କ ଶାସନ କାଳରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଗତ ଏପ୍ରିଲରେ ଅନ୍ତରୀଣ ସରକାର ସିଦ୍ଦିକଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଥିଲେ। ସେ ବାହାରେ ରହି ତାଙ୍କ ମାଆ, ମାଉସୀ, ଭାଇ ଓ ଭଉଣୀଙ୍କୁ ପ୍ଲଟ୍‌ ହାତେଇବା ପାଇଁ ପ୍ରଭାବିତ କରିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଛନ୍ତି।

Dharitri – The Largest & Most Trusted Odia Daily