୭ ବର୍ଷ ପରେ ମହମ୍ମଦ ଶାମିଙ୍କୁ ‘I Love You’ କହିଲେ ହାସିନ ଜାହାଁ: ସୁଧୁରିଯିବ କି ସମ୍ପର୍କ

ନୂଆଦିଲ୍ଲୀ,୫।୭: ଭାରତୀୟ ଷ୍ଟାର୍‌ ବୋଲର୍‌ ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହାସିନ ଜାହାଁ ପ୍ରାୟ ୭ ବର୍ଷ ଧରି ଅଲଗା ରହୁଛନ୍ତି। କଲିକତା ହାଇକୋର୍ଟ ହାସିନଙ୍କ ଭରଣପୋଷଣ ଆବେଦନର ଶୁଣାଣି କରି ଶାମିଙ୍କୁ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପ୍ରତିକ୍ରିୟାରେ ହାସିନ କହିଛନ୍ତି, ୪ ଲକ୍ଷ ଟଙ୍କା ଭରଣପୋଷଣ କମ। କିନ୍ତୁ ଏବେ ସେ ଏକ ଭିଡିଓ ଏବଂ ତା ସହିତ ଏକ ଲମ୍ବା ମେସେଜ୍‌ ଶେୟାର କରିଛନ୍ତି, ଯେଉଁଥିରେ ଶାମିଙ୍କ ପ୍ରତି ତାଙ୍କର ପ୍ରେମ ଉଜାଗର କରିଛନ୍ତି।

ହାସିନ ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ ଶେୟାର କରିଛନ୍ତି, ଯେଉଁଥିରେ ସେ ‘ପ୍ୟାର ମେଁ ହୋତା ହୈ କ୍ୟା ଜାଦୁ’ ଗୀତ ଗାଉଥିବାର ଦେଖାଯାଉଛି।

ହାସିନ ଏହି ଭିଡିଓ କ୍ଲିପ ସହିତ ଏକ ଲମ୍ବା ମେସେଜ୍‌ ଶେୟାର କରିଛନ୍ତି, ଯେଉଁଥିରେ ସେ ମହମ୍ମଦ ଶାମିଙ୍କ ପାଇଁ ’ଆଇ ଲଭ ୟୁ’ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ଶାମିଙ୍କ ସହ ତାଙ୍କର ଆଇନଗତ ଲଢ଼େଇ ୭ ବର୍ଷ ଧରି ଚାଲିଛି, ଯାହାରୁ କେହି କିଛି ପାଇନାହାଁନ୍ତି। ସେ ତାଙ୍କ ପୋଷ୍ଟରେ ଚରିତ୍ରହୀନ, ଲୋଭୀ ଏବଂ ଅହଂକାର ଭଳି ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ।

ମହମ୍ମଦ ଶାମି ଏବଂ ହାସିନ ଜାହା: ୨୦୧୪ ମସିହାରେ ବିବାହ କରିଥିଲେ। ୪ ବର୍ଷ ବିବାହ ପରେ, ମାର୍ଚ୍ଚ ୨୦୧୮ରେ, ହାସିନ ଶାମି ଏବଂ ତାଙ୍କ ପରିବାର ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଶାମିଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଘରୋଇ ନିର୍ଯାତନା ଏବଂ ବିଷ ଦେବାର ପ୍ରୟାସ ଭଳି ଗମ୍ଭୀର ଅଭିଯୋଗ ଆସିଥିଲା। ତଥାପି, ଶାମି ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ହାସିନ ଶାମିଙ୍କ ଉପରେ ମ୍ୟାଚ ଫିକ୍ସିଂର ଅଭିଯୋଗ ମଧ୍ୟ ଲଗାଇଥିଲେ, କିନ୍ତୁ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ ତଦନ୍ତ ପରେ ମ୍ୟାଚ ଫିକ୍ସିଂ ମାମଲାରେ ଭାରତୀୟ ଦ୍ରୁତ ବୋଲରଙ୍କୁ କ୍ଲିନ ଚିଟ ଦେଇଥିଲା।