ମୁମ୍ବାଇ,୬।୨: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦ୍ରୁତ ବୋଲର ହର୍ଷିତ ରାଣା ଆହତ କାରଣରୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଶନିବାର ଆମେରିକା ବିରୋଧରେ ଭାରତ ତାର ପ୍ରଥମ ମ୍ୟାଚ୍ ଖେଳିବାକୁ ଥିବାବେଳେ ଏହା ଦଳ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି।
ଗତ ବୁଧବାର ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍ ସମୟରେ ହର୍ଷିତ ଆହତ ହୋଇଥିଲେ। ବୋଲିଂ କରୁଥିବା ସମୟରେ ସେ ମାତ୍ର ଗୋଟିଏ ଓଭରରେ ୧୬ ରନ୍ ଦେଇଥିଲେ ଏବଂ ତାଙ୍କୁ ପଡ଼ିଆରେ ଅସହଜ ଅନୁଭବ କରୁଥିବାର ଦେଖାଯାଇଥିଲା। ସୂତ୍ର ଅନୁସାରେ, ତାଙ୍କ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଯୋଗୁଁ ସେ ଛୋଟେଇ ଛୋଟେଇ ପଡ଼ିଆ ବାହାରକୁ ଯାଇଥିଲେ।
ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ଘଟଣାକୁ ନେଇ କହିଛନ୍ତି ଯେ, “ହର୍ଷିତଙ୍କ ଅବସ୍ଥା ଭଲ ଦେଖାଯାଉ ନାହିଁ। ଯଦି ସେ ବାଦ୍ ପଡ଼ନ୍ତି, ତେବେ ଏହା ଆମ ପାଇଁ ଏକ ବଡ଼ କ୍ଷତି ହେବ।” ସୂର୍ଯ୍ୟକୁମାର ଆହୁରି ମଧ୍ୟ କହିଛନ୍ତି ଯେ ଦଳ ପାଖରେ ଯଥେଷ୍ଟ ବିକଳ୍ପ ଖେଳାଳି ଅଛନ୍ତି, ତେଣୁ ସେମାନେ ନୂଆ ରଣନୀତି ପ୍ରସ୍ତୁତ କରିବେ।
ହର୍ଷିତଙ୍କ ବଦଳରେ କିଏ ଦଳରେ ସ୍ଥାନ ପାଇବେ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ସୂର୍ଯ୍ୟକୁମାର ସୂଚନା ଦେଇଛନ୍ତି ଯେ, ତାଙ୍କ ସ୍ଥାନରେ ଜଣେ ଅଲରାଉଣ୍ଡରଙ୍କୁ ନିଆଯିବାର କୌଣସି ବାଧ୍ୟତାମୂଳକ ନିୟମ ନାହିଁ, ଦଳ ଆବଶ୍ୟକତା ଅନୁସାରେ ଯେକୌଣସି ଖେଳାଳିଙ୍କୁ ଚୟନ କରିପାରେ।