ଇତିହାସ ରଚିଲେ ହରପ୍ରୀତ

ଲଣ୍ଡନ,୫ା୧: ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌ ଶିଖ୍‌ ହରପ୍ରୀତ ଚଣ୍ଡୀ ଇତିହାସ ରଚିଛନ୍ତି। ବ୍ରିଟେନ ସେନା ଅଧିକାରୀ ତଥା ଫିଜିଓଥେରାପିଷ୍ଟ ହରପ୍ରୀତ ପ୍ରଥମ ଅଶ୍ୱେତ ମହିଳା ଭାବେ ବିନା କାହାରି ସମର୍ଥନ ଓ ସହାୟତାରେ ଏକାକୀ ଦକ୍ଷିଣ ମେରୁରେ ଟ୍ରେକିଂ କରିଛନ୍ତି। ଆଣ୍ଟାର୍କଟିକାରେ ଏହି ବିରଳ ସଫଳତା ହାସଲ ପରେ ତାଙ୍କ ନିକଟକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ଦକ୍ଷିଣ ମେରୁରେ ପ୍ରବଳ ହିମପାତ ହେଉଥିବାବେଳେ ୩୨ ବର୍ଷୀୟା ହରପ୍ରୀତ ସୋମବାର ସେଠାରେ ପାଦ ଥାପିଥିଲେ। ଏଥିପାଇଁ ତାଙ୍କୁ ୪୦ ଦିନ ଧରି ୭୦୦ ମାଇଲ (୧,୧୨୭ କି.ମି.) ଯାତ୍ରା କରିବାକୁ ପଡ଼ିଥିଲା। ବିଯୁକ୍ତ ୫୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ଓ ୬୦ କି.ମି. ବେଗରେ ବହୁଥିବା ପବନ ଆଗରେ ହରପ୍ରୀତ ହାର ନ ମାନି ଯାତ୍ରା ଜାରି ରଖିଥିଲେ। ନିଜ ଅଭିଯାନ ସମ୍ପର୍କରେ ଲାଇଭ୍‌ ବ୍ଲଗ୍‌ରେ ହରପ୍ରୀତ ଉଲ୍ଲେଖ କରିଛନ୍ତି,ବରଫପାତ ମୋତେ ଦକ୍ଷିଣ ମେରୁରେ ପହଞ୍ଚତ୍ବା ପାଇଁ ଅଟକାଇପାରି ନ ଥିଲା। ୩ ବର୍ଷ ପୂର୍ବେ ମେରୁ ଜଗତ ସମ୍ପର୍କରେ ମୋର କିଛି ଧାରଣା ନ ଥିଲା। କିନ୍ତୁ ଏବେ ଏହି ସଫଳତା ହାସଲ କରିଛି। ଏଥିଲାଗି ପ୍ରେରଣା ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ।