ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍କୁ ଭାରତୀୟ ଦଳ ୮ ଉଇକେଟରେ ଜିତିଥିଲା। ଏହା ଅଧିନାୟିକା ଭାବେ ହରମନପ୍ରୀତଙ୍କ ପାଇଁ ୭୭ତମ ବିଜୟ ଥିଲା, ଯାହାକି ଅନ୍ତର୍ଜାତୀୟ ମହିଳା ଟି୨୦ରେ ସର୍ବାଧିକ।
ଏଥିପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟିକା ମେଗ ଲାନିଂଙ୍କ ନାମରେ ଥିଲା। ତାଙ୍କ ନାମରେ ଅଧିନାୟିକା ଭାବେ ୭୬ଟି ବିଜୟ ରହିଛି। ଅନ୍ୟପକ୍ଷରେ ହରମନପ୍ରୀତ ୧୩୦ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟିକା ରହିଛନ୍ତି, ଯାହାକି ଯେକୌଣସି ଅଧିନାୟିକାଙ୍କ ଲାଗି ସର୍ବାଧିକ। ବିଶ୍ୱରେ ହରମନପ୍ରୀତଙ୍କ ସମେତ କେବଳ ୩ ଖେଳାଳି ୧୦୦ରୁ ଊର୍ଦ୍ଧ୍ୱ ଟି୨୦ ମ୍ୟାଚ୍ରେ ଜାତୀୟ ଦଳର ନେତୃତ୍ୱ ଭାର ତୁଲାଇଛନ୍ତି। ଏହି ତାଲିକାରେ ଲାନିଂ ଓ ଶ୍ରୀଲଙ୍କାର ଚମାରି ଆତାପାତଥୁ ରହିଛନ୍ତି।