Categories: Home Middleଖେଳ

ଟି୨୦ ସିରିଜ ଜିତିଲା ଭାରତ

ସିଡ୍‌ନୀ,୬।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ଅତି ସହଜରେ ଜିତି ପ୍ରତିଶୋଧ ନେବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ଏସ୍‌ସିଜିଠାରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୬ ଉଇକେଟରେ ଘରୋଇ ଦଳକୁ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ୨-୦ ବ୍ୟବଧାନରେ ଆଗୁଆ ଜିତି ନେଇଛି ଭାରତ। ଟି୨୦ ଫର୍ମାଟରେ ଏହା ଟିମ୍‌ ଇଣ୍ଡିଆର କ୍ରମାଗତ ୯ମ ବିଜୟ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ମାଥ୍ୟୁ ଓ୍ବେଡଙ୍କ ଅର୍ଦ୍ଧଶତକୀୟ ପାଳି ଯୋଗୁ ୫ ଉଇକେଟ ହରାଇ ୧୯୪ ରନ୍‌ କରିଥିଲା। ଦଳ ପକ୍ଷରୁ ଓ୍ବେଡ୍‌ ସର୍ବାଧିକ ୫୮ (୧୦ ଚୌକା ଓ ଗୋଟିଏ ଛକା) ରନର ଇନିଂସ ଖେଳିଥିବାବେଳେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଷ୍ଟିଭ ସ୍ମିଥ ୪୬ (୩ ଚୌକା ଓ ୨ ଛକା) । ଏମାନଙ୍କ ବ୍ୟତୀତ ଛୋଟ ହେଲେ ଉପଯୋଗୀ ଇନିଂସ ଖେଳିଥିଲେ ହେନରିକ୍ସ (୨୬), ମ୍ୟାକ୍ସଓ୍ବେଲ (୨୨) ଓ ମାର୍କସ ଷ୍ଟୋଇନିସ (୧୬)। ଭାରତ ପାଇଁ ଟି. ନଟରାଜନ ୨ ଉଇକେଟ ନେଇଥିବାବେଳେ ୟୁଜବେନ୍ଦ୍ର ଚହଲ ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ହାତେଥିଲେ।

ଜବାବରେ ଭାରତ ୨ ବଲ ପୂର୍ବରୁ ହାତରେ ୬ ଉଇକେଟ ରଖି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲା ଲୋକେଶ ରାହୁଲ ଓ ଶିଖର ଧାଓ୍ବନଙ୍କ ଓପନିଂ ଯୋଡ଼ି। ରାହୁଲ ୩୦, ଧାଓ୍ବନ ୫୨( ୪ ଚୌକା ଓ ୨ ଛକା) ଏବଂ କୋହଲି ୪୦ (୨ ଲେଖାଏ ଚୌକା ଓ ଛକା) ଆଉଟ୍‌ ହୋଇଥିଲେ। ଏହିଠାରୁ ହାର୍ଦ୍ଦିକ ପାଣ୍ଡ୍ୟା (୪୨) ଓ ଶ୍ରେୟାସ ଆୟାର (୧୨) ବିସ୍ଫୋରକ ବ୍ୟାଟିଂ କରି ଭ୍ରମଣକରୀ ଟିମ୍‌ ଇଣ୍ଡିଆକୁ ଦେଇଥିଲେ ବିଜୟ ଭେଟି।

Share