Categories: Home Middleଖେଳ

ଏସିଆ କପ୍ ଫାଇନାଲ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଦୁବାଇ,୨୮।୯: ଏସିଆ କପ୍ ୨୦୨୫ର ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ଐତିହାସିକ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ। ଏହି ୪୧ ବର୍ଷିୟ ଟୁର୍ନାମେଣ୍ଟର ଇତିହାସରେ ପ୍ରଥମ ଥର ପାଇଁ ଏହି ଦୁଇ ଚିରପ୍ରତିଦ୍ୱନ୍ଦୀ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଦଳ ପାଇଁ ଏକ ବଡ଼ ଝଟକା ହେଉଛି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି। ଆହତ କାରଣରୁ ହାର୍ଦ୍ଦିକ ଏସିଆ କପ୍ ୨୦୨୫ରୁ ବାଦ୍ ପଡ଼ିଛନ୍ତି।

ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ଗତ ୧୫ ଦିନ ମଧ୍ୟରେ ଦୁଇଥର ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ୍ ‘ଏ’ ମ୍ୟାଚରେ ଭାରତ ୭ ଉଇକେଟରେ ଓ ସୁପର- ୪ ରେ ୬ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଟି-୨୦ ଫର୍ମାଟରେ ଉଭୟ ଦଳ ୧୫ ଥର ମୁକାବିଲା କରିଛନ୍ତି, ଯେଉଁଥିରେ ଭାରତ ୧୨ ଥର ଓ ପାକିସ୍ତାନ ୩ ଥର ଜିତିଛି। ପୂର୍ବରୁ ଏହି ଟୁର୍ନାମେଣ୍ଟ ଫାଇନାଲରେ ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ଭାରତ ୨ ଥର ଓ ପାକିସ୍ତାନ ୩ ଥର ଜିତିଛି।

ଟସ୍ ବେଳେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, “ଆମେ ପ୍ରଥମେ ଫିଲଡିଂ କରିବୁ। ପିଚ୍ ଭଲ ଦେଖାଯାଉଛି ଓ ରାତିରେ ଏହା ବ୍ୟାଟିଂ ପାଇଁ ଅଧିକ ଅନୁକୂଳ ହେବ। ଆମେ ଗତ ୫-୬ଟି ମ୍ୟାଚରେ ଦମଦାର କ୍ରିକେଟ୍ ଖେଳୁଛୁ। ଦୁର୍ଭାଗ୍ୟବଶତଃ ହାର୍ଦ୍ଦିକ ଏହି ମ୍ୟାଚରେ ଖେଳିବେ ନାହିଁ।”

ଅନ୍ୟପକ୍ଷେ, ପାକିସ୍ତାନ ଅଧିନାୟକ ସଲମାନ ଆଘା କହିଛନ୍ତି, “ବ୍ୟାଟିଂ ପାଇଁ ଖୁସି ଅଛୁ। ଆମେ ଏକ ପୂର୍ଣ୍ଣାଙ୍ଗ ମ୍ୟାଚ୍ ଖେଳିବାକୁ ଆଶା କରୁଛୁ। ପିଚ୍ ସମାନ ରହିବ ବୋଲି ଆମେ ଭାବୁଛୁ।”

ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ଶିବମ ଦୁବେ ଓ ରିଙ୍କୁ ସିଂହ ଅଲଟାଉଣ୍ଡ ଓ ଫିନିଶର ଭୂମିକା ନେବେ। ଦଳରେ ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ (ଉଇକେଟ୍ ରକ୍ଷକ), ଶିବମ ଦୁବେ, ରିଙ୍କୁ ସିଂହ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରାହ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି। ବୁମରାହଙ୍କ ନେତୃତ୍ୱରେ ବୋଲିଂ ଆକ୍ରମଣ ଓ କୁଲଦୀପ-ଚକ୍ରବର୍ତ୍ତୀଙ୍କ ସ୍ପିନ୍ ଯୋଡ଼ି ପାକିସ୍ତାନ ବ୍ୟାଟିଂକୁ ଚାପରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି।

Share