ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୧୦୦୦ ରନ୍ ଏବଂ ୧୦୦ ୱିକେଟ୍ ପୂରଣ କରିବାରେ ବିଶ୍ୱର ପ୍ରଥମ ଫାଷ୍ଟ ବୋଲିଂ ଅଲରାଉଣ୍ଡର ଭାବେ ଇତିହାସ ରଚିଛନ୍ତି।
ଧର୍ମଶାଳାରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ପାଣ୍ଡ୍ୟାଙ୍କ ନାମରେ ୯୯ଟି ୱିକେଟ୍ ଥିଲା। ସେ ଟ୍ରିଷ୍ଟାନ୍ ଷ୍ଟବ୍ସଙ୍କ ୱିକେଟ୍ ନେବା ପରେ ଟି-୨୦ ଫର୍ମାଟରେ ୱିକେଟ୍ର ଶତକ (୧୦୦ ୱିକେଟ୍) ପୂରଣ କରିଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ବିଶ୍ୱର ପ୍ରଥମ ଫାଷ୍ଟ ବୋଲିଂ ଅଲରାଉଣ୍ଡର, ଯିଏ ଏହି ରେକର୍ଡ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ଦ୍ରୁତ ବୋଲିଂ ଅଲରାଉଣ୍ଡର ଏହି କୀର୍ତ୍ତିମାନ ସ୍ଥାପନ କରିପାରି ନାହାଁନ୍ତି। ୩ ଜଣ ସ୍ପିନର ପୂର୍ବରୁ ଏହି ରେକର୍ଡ କରିସାରିଛନ୍ତି। ବାଂଲାଦେଶର ଶାକିବ୍ ଅଲ ହାସନ୍, ଆଫଗାନିସ୍ତାନର ମହମ୍ମଦ ନବୀ ଏବଂ ଜିମ୍ବାୱେର ସିକନ୍ଦର ରଜା।
ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ୱିକେଟ୍ ନେବାରେ ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ତୃତୀୟ ଭାରତୀୟ ବୋଲର। ତାଙ୍କ ପୂର୍ବରୁ ଅର୍ଶଦୀପ୍ ସିଂହ (୧୦୮ ୱିକେଟ୍) ଏବଂ ଯଶପ୍ରୀତ ବୁମରା (୧୦୧ ୱିକେଟ୍) ଏହି ସଫଳତା ହାସଲ କରିଛନ୍ତି। ପାଣ୍ଡ୍ୟା ଏପର୍ଯ୍ୟନ୍ତ ନିଜ ଟି-୨୦ କ୍ୟାରିୟରରେ ୧୦୦ ୱିକେଟ୍ ନେବା ସହିତ ୧୯୩୯ ରନ୍ ସଂଗ୍ରହ କରିସାରିଛନ୍ତି।