କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର ବୃହତ ବ୍ୟବଧାନରେ ପରାସ୍ତ କରି କଟକ ଠାରେ ଥିବା ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି।
ଭାରତର ଏହି ଆକର୍ଷଣୀୟ ବିଜୟର ମୁଖ୍ୟ ନାୟକ ଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଆହତରୁ ଫେରି ସେ ମାତ୍ର ୨୮ ବଲରେ ୫୯ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ୧୭୫ ରନରେ ପହଞ୍ଚାଇଥିଲେ ଏବଂ ପରେ ଗୁରୁତ୍ୱପୂର୍ଣ୍ଣ ଡେଭିଡ୍ ମିଲରଙ୍କ ୱିକେଟ ନେଇଥିଲେ।
ଭାରତ ଦେଇଥିବା ୧୭୬ ରନର ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ମାତ୍ର ୭୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଅର୍ଶଦୀପ ସିଂହ ଓ ହାର୍ଦ୍ଦିକଙ୍କ ନେତୃତ୍ୱରେ ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ କରି ପ୍ରୋଟିଆସ୍ ବ୍ୟାଟିଂକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏହି ବିଜୟ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି।
ମ୍ୟାଚ୍ ଆରମ୍ଭରେ ଶୁଭମନ ଗିଲ୍ ଓ ସୂର୍ଯ୍ୟକୁମାରଙ୍କ ସମେତ ଭାରତର ଅନେକ ବ୍ୟାଟ୍ସମ୍ୟାନ୍ ପିଚ୍ ଅନୁଯାୟୀ ଖେଳିବାରେ ବିଫଳ ହୋଇଥିଲେ। ପୂର୍ବତନ କ୍ରିକେଟର ପ୍ରିୟଙ୍କ ପାଞ୍ଚାଲ କହିଛନ୍ତି ଯେ, ଟିମର ‘ଇନ୍-ଗେମ୍ ମ୍ୟାନେଜମେଣ୍ଟ’ ଏବେ ମଧ୍ୟ ଏକ ସମସ୍ୟା, ଯାହାକୁ ଆଗାମୀ T20 ବିଶ୍ୱକପ୍ ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟକୁ ସୁଧାରିବାର ଆବଶ୍ୟକତା ରହିଛି।