Categories: Home Leftଖେଳ

ଖେଳରତ୍ନ ପାଇବେ ନାହିଁ ହରଭଜନ

ନୂଆଦିଲ୍ଲୀ, ୧୯ା୭(ପି.ଟି.)-ବର୍ତ୍ତମାନ ସମୟରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇବା ପାଇଁ ମୋର ଯୋଗ୍ୟତା ନାହିଁ ବୋଲି କହିଛନ୍ତି ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂ। ସେଥିଯୋଗୁ ପଞ୍ଜାବ ସରକାର ମୋ ପ୍ରାର୍ଥତ୍ପତ୍ରକୁ ପ୍ରତ୍ୟାହାର କରି ନେଇଛନ୍ତି। ଖେଳରତ୍ନ ପୁରସ୍କାର ପାଇଁ ଜଣେ ଖେଳାଳିଙ୍କର ଗତ ୩ ବର୍ଷର ଅନ୍ତର୍ଜାତୀୟ ପ୍ରଦର୍ଶନକୁ ବିଚାର କରାଯାଇଥାଏ ବୋଲି ସେ କହିଛନ୍ତି। ୪୦ ବର୍ଷୀୟ ହରଭଜନ କହିଛନ୍ତି, ପଞ୍ଜାବ ସରକାର ଖେଳରତ୍ନ ପୁରସ୍କାର ପାଇଁ ତାଙ୍କ ପ୍ରାର୍ଥତ୍ପତ୍ରକୁ କାହିଁକି ପ୍ରତ୍ୟାହାର କରିନେଲେ ଏହାଜାଣିବା ଲାଗି ତାଙ୍କ ନିକଟକୁ ଟେଲିଫୋନ୍‌ କଲ୍‌ର ସୁଅ ଛୁଟିବାରେ ଲାଗିଥିଲା। ତାଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପଛରେ ପଞ୍ଜାବ ସରକାରଙ୍କର କୌଣସି ଭୁଲ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପଞ୍ଜାବ କ୍ରୀଡ଼ା ମନ୍ତ୍ରୀ ରାଣା ଗୁର୍‌ମିତ୍‌ ସିଂ ସୋଧି କହିଛନ୍ତି, ହରଭଜନ ସିଂଙ୍କଠାରୁ ଇ-ମେଲ ପାଇବା ପରେ ଆମ ବିଭାଗ ତାଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଥିଲେ। ଭେଟେରାନ ସ୍ପିନର ଦର୍ଶାଇଥିଲେ ସେ ପୁରସ୍କାର ପାଇ ବା ଲାଗି ଯେଉଁ ମାନଦଣ୍ଡ ରହିଛି ତାହା ସେ ପୂରଣ କରିପାରୁ ନାହାନ୍ତି। ଆମେ ତାଙ୍କ ନାମ ଦୃଢ ଭାବେ ସୁପାରିସ କରିଥିଲୁ। କିନ୍ତୁ ସ୍କ୍ରିନିଂ କମିଟି ନିକଟକୁ ଯିବା ପୂର୍ବରୁ ହରଭଜନଙ୍କ ପରାମର୍ଶ ଅନୁସାରେ ତାଙ୍କ ଆବେଦନପତ୍ରକୁ ପ୍ରତ୍ୟାହାର କରି ନେଇଥିଲୁ ବୋଲି ସୋଧି କହିଛନ୍ତି। ଖେଳ ରତ୍ନ ପୁରସ୍କାର ପାଇଁ ଗତବର୍ଷ ମଧ୍ୟ ହରଭଜନଙ୍କ ନାମ ସୁପାରିସ ହୋଇଥିଲା। ମାତ୍ର ତାଙ୍କ ଡକୁମେଣ୍ଟ ଦାଖଲରେ ବିଳମ୍ବ ଦର୍ଶାଇ କ୍ରୀଡ଼ା ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଏଥର କିନ୍ତୁ ହରଭଜନ ଏହି ବ୍ୟାପାରରେ ପଞ୍ଜାବ କ୍ରୀଡ଼ା ମନ୍ତ୍ରୀଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ୪୧୭ ଟେଷ୍ଟ ଏବଂ ୨୬୯ ଅନ୍ତର୍ଜାତୀୟ ଉଇକେଟ ଅକ୍ତିଆର କରିଥିବା ହରଭଜନ ପୂର୍ବରୁ ଅର୍ଜୁନ ପୁରସ୍କାର ବ୍ୟତୀତ ପଦ୍ମଶ୍ରୀ ପୁରସ୍କାର ଲାଭ କରିସାରିଛନ୍ତି। ଭାରତ ତରଫରୁ ସେ ଶେଷ ଥର ପାଇଁ ୨୦୧୫ରେ ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ।