ଶାସ୍ତ୍ରୀ ବହୁତ ବଡ଼ କଥା କହିଦେଲେ, ଭାରତୀୟ ଭାବେ ଆମେ ଗର୍ବ କରିଥାନ୍ତୁ: ହରଭଜନ

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ କୋଚ୍‌ ରବି ଶାସ୍ତ୍ରୀ ନିକଟରେ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହାକୁ ନେଇ ପୂବତନ ଭାରତୀୟ ସ୍ପିନର ହରଭଜନ ସିଂହ ପ୍ରତିକ୍ରିୟା ରଖି ଶାସ୍ତ୍ରୀ ବହୁତ ବଡ଼ କଥା କହିଥିବା କହିଛନ୍ତି।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ରେ ପରାଜୟ ପରେ ହଠାତ୍‌ କୋହଲି ଟେଷ୍ଟର ଅଧିନାୟକତ୍ୱ ଛାଡ଼ିବା ନେଇ ଘୋଷଣା କରିଥିଲେ। ଏହାକୁ ନେଇ ବିରାଟଙ୍କ ପ୍ରଶଂସକ ବୋର୍ଡ ଉପରେ ପ୍ରଶ୍ନ ଉଠାଇଥିଲେ। ଶାସ୍ତ୍ରୀ କୋହଲିଙ୍କ ସମର୍ଥନରେ ବାହାରି କହିଥିଲେ, ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ବିରାଟଙ୍କ ସଫଳ କାର୍ଯ୍ୟକାଳ ହଜମ ହେଉ ନ ଥିବ।

ଏହି ବୟାନକୁ ନେଇ ହରଭଜନ ‘ସ୍ପୋଟ୍ସ ତକ୍‌’ ସହ ସାକ୍ଷାତକାରରେ କହିଛନ୍ତି, ଏହି ବୟାନ ବହୁତ ବଡ଼। ଶାସ୍ତ୍ରୀ କହୁଛନ୍ତି ଯଦି ବିରାଟ ୧୫-୨୦ ଟେଷ୍ଟ ମ୍ୟାଚ୍‌ ଜିତି ନିଜର ସଫଳ କାର୍ଯ୍ୟକାଳରେ ଯୋଡ଼ିଥାନ୍ତେ ତେବେ କିଛି ଲୋକଙ୍କୁ ହଜମ ହୋଇ ନ ଥାନ୍ତା। ମୁଁ ଜାଣେନା ସେ କାହା ବିଷୟରେ କଥା ହେଉଛନ୍ତି। କିଏ ହଜମ କରିପାରି ନ ଥାନ୍ତା। ହେଲେ ଭାରତୀୟ ହିସାବରେ ଆମକୁ ଗର୍ବ ଲାଗିଥାନ୍ତା। କୋହଲି ଆଉ ୪୦ ମ୍ୟାଚ୍‌ ଜିତି ରେକର୍ଡ କରନ୍ତୁ ବୋଲି ଆଶା କରିଥାନ୍ତୁ। ଏପରି କରିବା ଦ୍ୱାରା ଆଗାମୀ ଅଧିନାୟକକୁ ତାଙ୍କ ରେକର୍ଡର ସମକକ୍ଷ ହେବା ଲାଗି ଦୁଇ ଥର ଅଧିନାୟକ ହେବାକୁ ପଡ଼ିଥାନ୍ତା।

କହିରଖୁଛୁ, କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟେଷ୍ଟ ଟିମ୍‌ ୬୮ରୁ ୪୦ ମୁକାବିଲା ଜିତିଛି। ସେ ଟେଷ୍ଟ ଇତିହାସରେ ଭାରତ ପାଇଁ ସବୁଠାରୁ ସଫଳ ଅଧିନାୟକ ଥିଲେ।