ବୟସଜନିତ ପ୍ରଶ୍ନକୁ ନେଇ ହରଭଜନଙ୍କ ଜବାବ: ହଁ, ମୁଁ ଏବେ ୨୦ ବର୍ଷର ନୁହେଁ; ସ୍ତ୍ରୀ କହିଲେ ମୋତେ ଖେଳିବା ଉଚିତ…

ନୂଆଦିଲ୍ଲୀ,୧।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ପକ୍ଷରୁ ଖେଳିବାକୁ ଯାଉଛନ୍ତି ଅଫ୍‌ ସ୍ପିନର ହରଭଜନ ସିଂ। ୪୦ ବର୍ଷୀୟ ଏହି କ୍ରିକେଟର ଗତ ସଂସ୍କରଣରେ ଅଂଶଗ୍ରହଣ କରି ନ ଥିଲେ। ହେଲେ ଚଳିତ ଥର ପାଇଁ ୨ କୋଟି ଟଙ୍କା ବିନିମୟରେ କେକେଆର ତାଙ୍କୁ କ୍ରୟ କରିଛି। ଏହାକୁ ନେଇ ପ୍ରତିକ୍ରିୟା ରଖି ହରଭଜନ କହିଛନ୍ତି, ମୁଁ କାହିଁକି ଖେଳୁଛି ବୋଲି ଅନେକ ଲୋକ ଭାବୁଛନ୍ତି। ହେଲେ ଏଭଳି ଭାବନା ତାଙ୍କର। ମୋର ନୁହେଁ। ମୁଁ ଏବେ ବି ଖେଳି ପାରିବି। ଏଥିପାଇଁ କାହାକୁ ପ୍ରମାଣ ଦେବାକୁ ଚାହେଁନା। କେବଳ ମଇଦାନରେ ଖେଳର ଭରପୂର ମଜା ନେବାକୁ ଚାହେଁ। ଏବେ ବି କ୍ରିକେଟ ଖେଳିଲେ ମୋତେ ଶାନ୍ତି ମିଳୁଛି। ଏବେ ମୁଁ ୨୦ ବର୍ଷର ନୁହେଁ। ତେଣୁ ଯୁବକ ଭଳି ଅଭ୍ୟାସ କରିପାରିବି ନାହିଁ। ମୋତେ ଏବେ ୪୦ ବର୍ଷ। ହେଲେ ମୁଁ ଫିଟ୍‌ ଅଛି। ଖେଳିବା ପାଇଁ ଯାହା ଆବଶ୍ୟକ ହେବ ତାହା ନିଶ୍ଚିତ କରିବି ବୋଲି ସେ କହିଛନ୍ତି।

ଏହାଛଡ଼ା ଗତ ସଂସ୍କରଣରେ ନ ଖେଳିବା ନେଇ ହରଭଜନ କହିଛନ୍ତି, ୨୦୨୦ରେ ଭାରତରେ କୋଭିଡ-୧୯ ସଂକ୍ରମଣ ଚରମ ସୀମାରେ ଥିଲା। ପରିବାରକୁ ନେଇ ସେତେବେଳେ ଚିନ୍ତାରେ ରହୁଥିଲି। ଆଇପିଏଲ୍‌ ଶେଷ ହେବା ପରେ ଭାରତ ପ୍ରର୍ତ୍ତ୍ୟାବର୍ତ୍ତନ କରିବା ପରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିଥାନ୍ତା। ହେଲେ ଚଳିତ ଥର ଭାରତରେ ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି। ଟିକା ମଧ୍ୟ ଆସିସାରିଛି। ଏଣୁ ପରିବାରଲୋକେ ଖେଳିବା ପାଇଁ ସହମତି ପ୍ରଦାନ କରିଛନ୍ତି। ଏପରିକି ସ୍ତ୍ରୀ ମଧ୍ୟ ଖେଳିବା ଉଚିତ ବୋଲି କହିଥିବା ସେ କହିଛନ୍ତି।

ପ୍ରକାଶ ଯେ, ହରଭଜନ ସାମିଲ ହେବା ପରେ ଦଳର ସ୍ପିନ ବିଭାଗ ବେଶ୍‌ ଶକ୍ତିଶାଳୀ ହୋଇପାରିବେ କେକେଆର୍‌ ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି। ଚେନ୍ନାଇର ସ୍ପିନ୍‌ ଉଇକେଟରେ ସେ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି।