ଗୋଟିଏ ବର୍ଷରେ ୧୪ ହିଟ୍‌ ଫିଲ୍ମ ଦେଇ ବିଗ୍‌ ବିଙ୍କୁ ପଛରେ ପକାଇଥିଲେ ଚିରଞ୍ଜିବ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବ ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୨ ଅଗଷ୍ଟ ୧୯୫୫ରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ନେଇଥିଲେ ଏହି ସୁପରଷ୍ଟାର। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଠାରୁ ବଲିଉଡ୍‌ ପର୍ଯ୍ୟନ୍ତ ସେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିପାରିଛନ୍ତି। ତାଙ୍କର ପିଲାଦିନର ନାଁ ଥିଲା କୋନିଦେଲ ଶିବ ଶଙ୍କର ପ୍ରସାଦ। ହେଲେ ଫିଲ୍ମ ଦୁନିଆରେ ପ୍ରବେଶ କରିବା ପରେ ସେ ଚିରଞ୍ଜିବ ନାଁରେ ପରିଚିତ ହେଲେ। ଆଉ ଏହା ତାଙ୍କର ପରିଚିତ ନାଁ ପାଲଟିଗଲା। କଳାକାର ପରିବାରର ପିଲା ହୋଇଥିବାରୁ ଅଭିନୟ ପ୍ରତି ତାଙ୍କର ଥିଲା ଖୁବ୍‌ ଦୁର୍ବଳତା। ଦକ୍ଷିଣ ଭାରତୀୟ ଫିଲ୍ମରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଛନ୍ତି। ୧୯୯୨ରେ ତାଙ୍କ ଅଭିନୀତ ଫିଲ୍ମ ‘ଘରାନା ମୋଗୁଦୁ’ ଏତେ ପରିମାଣରେ ହିଟ୍‌ ହୋଇଥିଲା ଯେ ଏହାପରେ ସେ ଦେଶର ସବୁଠାରୁ ମହଙ୍ଗା ଅଭିନେତା ତାଲିକାରେ ସାମିଲ ହୋଇଥିଲେ। ଏହାପରେ ସେ ପାରିଶ୍ରମିକରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କୁ ବି ପଛରେ ପକାଇ ଦେଲେ। ୮୦ ଦଶକରେ ତାଙ୍କର ଲୋକପ୍ରିୟତା ବଢି ଯାଇଥିଲା। ଆଉ ଗୋଟିଏ ବର୍ଷରେ ହିଁ ୧୪ ଟି ହିଟ୍‌ ଫିଲ୍ମ ଭେଟି ଦେଇଥିଲେ ଚିରଞ୍ଜିବ। ରଜନୀକାନ୍ତଙ୍କ ପରେ ଚିରଞ୍ଜିବ ଏକମାତ୍ର କଳାକାର ଯିଏ ଏକ ତରଫା ଭାବେ ସାଇଥ୍‌ ଫିଲ୍ମର ଦର୍ଶକଙ୍କ ମନ ଜିତି ପାରିଛନ୍ତି।