ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ(ଓସାକା), ହାଇଦ୍ରାବାଦ ଆୟୋଜନରେ ଏବଂ କୋଶଳ ଛାତ୍ର ସଂଗଠନ ଓ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ସହଯୋଗରେ ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗଡ, ସମ୍ବଲପୁର, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ସମେତ କୋଶଲାଞ୍ଚଳର ବିଭିନ୍ନ ପ୍ରାନ୍ତରୁ କବି, ସାହିତି୍ୟକ, ଲେଖକମାନେ ଯୋଗଦାନ କରିଥିଲେ। ପ୍ରାରମ୍ଭରେ କବି ହଳଧର ନାଗଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହାପରେ କବି ନାଗଙ୍କ ଗରିମାମୟ ଉପସ୍ଥିତିରେ ଏବଂ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପଦ୍ମନାଭ ପଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଡଃ .ଦ୍ବାରିକାନାଥ ନାୟକ, ଉତ୍ପନ୍ନ ଭୋଇ, ସୁଶାନ୍ତ ମିଶ୍ର ଓ ଅଶୋକ ପୁଜାହାରୀ ଯୋଗଦାନ କରିଥିଲେ। “ହଳଧର ସାହିତ୍ୟ ଆର୍‌ ଜୀବନୀ କୋଶଲାଞ୍ଚଲର ଭାଷା, ସାହିତ୍ୟ ସାଙ୍ଗେ ଆମର ମାଟିର ଅସ୍ମିତା ଲାଗି ଉଲଗୁଲାନ” ଶୀର୍ଷକରେ ଆଲୋଚନା କରାଯାଇଥିଲା।

ଦ୍ୱିତୀୟ ଅଧିବେଶନରେ ଗୋରେଖନାଥ ସାହୁ, ଡଃ ସୁବାସ ମେହେର, ଡଃ ଲୋହିତକ୍ଷ ଯୋଶୀ, ଲାଲଚନ୍ଦ ବଗର୍ତ୍ତି ଓ ଶିବପ୍ରସାଦ ସା ଯୋଗଦାନ କରି ସମ୍ବଲପୁରୀ କୋଶଲି ଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ଆବଶ୍ୟକତା ଶୀର୍ଷକରେ ଆଲୋଚନା କରିଥିଲେ । ସେହିପରି ହଳଧରଙ୍କ ସ୍ବାଭିମାନକୁ ଅନୁକରଣ କରିବା ସହିତ ସାଂଗଠନିକ ଆବଶ୍ୟକତା ସଂକ୍ରାନ୍ତରେ ଅନୁଷ୍ଠିତ ତୃତୀୟ ଅଧିବେଶନରେ ଅଧ୍ୟାପକ ସୁଶାନ୍ତ ମିଶ୍ର, ଅଶୋକ କୁମାର ପୁଜାହାରୀ ଓ ରାଜମଣି ସାହୁ ଯୋଗଦାନ କରିଥିଲେ । ଅଧ୍ୟାପକ ମୋହନ ସାହୁ, ଡଃ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ସଂଯୋଜକ ପ୍ରଶାନ୍ତ ମାଝୀ ଓ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଆଲୋଚନାଚକ୍ରକୁ ସଞ୍ଚାଳନ କରିଥିଲେ । ଅପରାହ୍ନ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ହରିଲାଲ ସାହୁ ମଞ୍ଚାସୀନ ଥିଲେ। ବହୁ ସଂଖ୍ୟାରେ କବିମାନେ କବିତା ପାଠ କରିଥିଲେ। ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଟାଉନ ହଲରେ ଅନୁଷ୍ଠିତ ହଳଧର ସାଂସ୍କୃତିକ ସନ୍ଧ୍ୟାରେ ବିଭିନ୍ନ ଲୋକନୃତ୍ୟ, ଲୋକଗୀତ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ପଦ୍ମନାଭ ପଧାନ, ପ୍ରଶାନ୍ତ ମାଝୀ, ସୁନିଲ ପୁରୋହିତ, ପାଣ୍ଡବ କର୍ଣ୍ଣ, ଅଜିତ ପତି, ଦୀପକ ଦାଶ, ଆକାଶ ପଣ୍ଡା, ଦୀପକ ରଥ ପ୍ରମୁଖ ପରିଚାଳନା କରିଥିଲେ।