Categories: Home Leftଖେଳ

ହାଇଦ୍ରାବାଦ୍‌ ଦଳରେ ଟେଷ୍ଟ ସ୍ପେଶାଲିଷ୍ଟ

ହାଇଦ୍ରାବାଦ୍‌,୧୫।୯: ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରି ଆଗାମୀ ଘରୋଇ ସିଜନରେ ହାଇଦ୍ରାବାଦ୍‌ ପାଇଁ ଖେଳିବେ। ଏଥି ପୂର୍ବରୁ ୫ ବର୍ଷ ଧରି ସେ ହାଇଦ୍ରାବାଦ ଛାଡ଼ି ଆନ୍ଧ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ୨୦୧୫-୧୬ ସିଜନରେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ ଏସ୍‌ କେ ପ୍ରସାଦଙ୍କଠାରୁ ଆନ୍ଧ୍ର ଦଳର ନେତୃତ୍ୱ ନେବାକୁ ପ୍ରସ୍ତାବ ପାଇବା ପରେ ବିହାରି ହାଇଦ୍ରାବାଦ୍‌ ଦଳ ଛାଡ଼ି ଦେଇଥିଲେ। ଏବେ ହାଇଦ୍ରାବାଦ୍‌ କ୍ରିକେଟ ଆସୋସିଏଶନ(ଏଚ୍‌ସିଏ)କୁ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଚଳାଉଛନ୍ତି। ବିହାରିଙ୍କ ଏଭଳି ନିଷ୍ପତ୍ତି ପଛରେ ଆଝାରୁଦ୍ଦିନଙ୍କ ହାତ ଥିବା ବିଶ୍ୱାସ କରାଯାଉଛି।

୨୭ ବର୍ଷୀୟ ବ୍ୟାଟ୍ସମ୍ୟାନ ନିଜ ନିଷ୍ପତ୍ତି ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସଭିଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ, ମୁଁ ଆନ୍ଧ୍ର କ୍ରିକେଟ ଠାରୁ ଦୂରେଇ ଯାଉଛି। ଗତ ୫ ବର୍ଷ ହେଲା ଦଳର ନେତୃତ୍ୱଭାର ନେବାର ସୌଭାଗ୍ୟ ମୋତେ ମିଳିଥିଲା ବୋଲି ବିହାରି ଲେଖିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ୯୪ ମ୍ୟାଚ୍‌ ଖେଳିଥିବା ହନୁମା ୨୧ ଶତକ ସହ ୭,୨୬୧ ରନ୍‌ କରିଛନ୍ତି। ୮୦ଟି ଲିଷ୍ଟ ଏ’ ମ୍ୟାଚ୍‌ ଖେଳିଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କ ନାମରେ ୩୦୦୧ ରନ୍‌ ରହିଛି।

ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ସିରିଜ୍‌ ଜିତିଥିବା ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ ହନୁମା। ୨୦୧୮ରେ ଓଭାଲଠାରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିଥିବା ୨୭ ବର୍ଷୀୟ ଖେଳାଳି ଏପର୍ଯ୍ୟନ୍ତ ୧୨ ଟେଷ୍ଟ ଖେଳି ୬୨୪ ରନ୍‌ କରିଛନ୍ତି। ତାଙ୍କ କ୍ୟାରିୟରରେ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ରହିଛି।