Categories: Home Leftଖେଳ

ସିନିୟର ଖେଳାଳିଙ୍କ ଭାଗ୍ୟ ଉପରେ ଏମିତି ସଙ୍କେତ ଦେଲେ ଡ୍ରାଭିଡ୍‌

ଜୋହାନ୍ସବର୍ଗ,୭।୧: ନ୍ୟୁ ଇୟର ଟେଷ୍ଟରେ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ ଲାଗି ଦୁଇ ବରିଷ୍ଠ ଖେଳାଳି ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କୁ ଦଳରେ ସ୍ଥାନ ମିଳିବା ନିଶ୍ଚିତ। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଦୁଇ ଭେଟେରାନ ଆବଶ୍ୟକ ସମୟରେ ଦଳ ପାଇଁ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏଣୁ ହନୁମା ବିହାରୀ ଓ ଶ୍ରେୟାସ ଆୟାରଙ୍କୁ ନିୟମିତ ସୁଯୋଗ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଡ୍ରାଡିଡ୍‌।

“ବିହାରୀ ମ୍ୟାଚ୍‌ର ଉଭୟ ଇନିଂସରେ ଭଲ ପ୍ରଦର୍ଶନ କରିଥିଲେ। ଦୁର୍ଭାଗ୍ୟବଶତଃ ପ୍ରଥମ ଇନିଂସରେ ସେ ନୋ ବଲରେ ଆଉଟ୍‌ ହୋଇଥିଲେ। ପ୍ରତିପକ୍ଷ ଦଳର ଫିଲ୍ଡରଙ୍କ ଚମତ୍କାର କ୍ୟାଚ୍‌ ଯୋଗୁ ତାଙ୍କୁ ପ୍ୟାଭିଲିଅନ ଫେରିବାକୁ ପଡ଼ିଥିଲା। ମାତ୍ର ଦ୍ୱିତୀୟ ପାଳିରେ ସେ ଯେଉଁ ଭଳି ଖେଳିଲେ, ତାହା ଆମକୁ ଆତ୍ମବିଶ୍ୱାସ ଦେଇଥିଲା। ୩ଟି ଟେଷ୍ଟ ପୂର୍ବରୁ ଶ୍ରେୟାସ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ। ସୁଯୋଗ ମିଳିଲେ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଆଶା କରୁଛି ସେମାନଙ୍କ ସମୟ ଆସିବ। ଏହାର ଅର୍ଥ ନୁହେଁ ସେମାନଙ୍କୁ ରାହାନେ କିମ୍ବା ପୂଜାରାଙ୍କ ସ୍ଥାନରେ ଦଳରେ ଯାଗା ଦିଆଯିବ” ବୋଲି ଡ୍ରାଭିଡ୍‌ କହିଛନ୍ତି।

ତାଙ୍କ ଖେଳିବା ସମୟର ଉଦାହରଣ ଦେଇ କହିଛନ୍ତି, ଦଳରେ ଏବେ ବରିଷ୍ଠ ଖେଳାଳି ଅଛନ୍ତି। ସେମାନଙ୍କୁ ପ୍ରାଥମିକତା ଦିଆଯାଉଛି। ଆମ ସମୟରେ ସେମାନଙ୍କୁ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା। ନିୟମିତ ସୁଯୋଗ ପାଇବା ଲାଗି ଏବେ ଯୁବ ଖେଳାଳିଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ। ଖେଳରେ ଏମିତି ହୁଏ।

Share