ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଜଡାମୁଣ୍ଡା ପଞ୍ଚାୟତ କୋମଟିମୁଣ୍ଡା ଗାଁ ଖେଳ ପଡିଆ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ସୁନାବେଡ଼ା ପଞ୍ଚାୟତ ଗାତିବେଡା ଗାଁର ଆଲାମ ଧରୁଆ(୨୮)। ସୂଚନା ମୁତାବକ ଆଲାମ ନିଜ ବଡଭାଇଙ୍କ ବାହାଘର ଭୋଜି ପାଇଁ ଦୋକାନ ସାମଗ୍ରୀ କିଣିବାକୁ ସମ୍ପର୍କୀୟ ଭାଇ ଶୁଭେଙ୍କ ସହ ଉଦ୍ୟାନବନ୍ଧକୁ ବାଇକ୍‌ ଯୋଗେ ଯାଇଥିଲେ। ହେଲେ ସେଠାରେ କାମ ସାରି ସେ କୁଆଡେ ଚାଲିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ଶୁଭେ ଏକ ପିକ୍‌ଅପରେ ସାମଗ୍ରୀ ଧରି ଘରକୁ ଫେରି ସମସ୍ତଙ୍କୁ ଜଣାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ। ଏପରିସ୍ଥଳେ ସୋମବାର କୁମୁଟିମୁଣ୍ଡା ଖେଳପଡିଆ ରାସ୍ତା କଡ ଗଛରେ ନିଜେ ପିନ୍ଧିଥିବା ଶାର୍ଟକୁ ବେକରେ ଲଗାଇ ଝୁଲୁଥିବା ଖବର ପାଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ ସହ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।