ବଦଳିବ ରାଜନୀତି ଚିତ୍ର: ଅନାସ୍ଥା ପୂର୍ବରୁ ଇସ୍ତଫା, ଭୋଟରେ ହାରିଲେ NAC ଅଧ୍ୟକ୍ଷା

କବିସୂର୍ଯ୍ୟନଗର,୧୭।୩(କୃପାସିନ୍ଧୁ ସ୍ବାଇଁ): ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ଅଧ୍ୟକ୍ଷା। ଇସ୍ତଫା ଗୃହୀତ ହୋଇ ନ ଥିବାରୁ ଜିଲାପାଳଙ୍କ ଆଦେଶରେ ହେଲା ଅନାସ୍ଥା ଭୋଟ। ହାରିଗଲେ ଅଧ୍ୟକ୍ଷା।  କବିସୂର୍ଯ୍ୟନଗର NAC ଅଧ୍ୟକ୍ଷା ଏସ୍‌  ଲକ୍ଷ୍ମୀ ସେଠୀଙ୍କ ବିରୋଧରେରେ ଗତ ୨୪ ତାରିଖରେ ୧୬ କାଉନ୍‌ସିଲର ଗଞ୍ଜାମ ଜିଲାପାଳଙ୍କ ନିକଟରେ ଅନାସ୍ଥା ପାଇଁ ଅଭିଯୋଗ କରଥିଲେ।  ପରେ ୧୭  ତାରିଖରେ ଅନାସ୍ଥା ଭୋଟ ପାଇଁ ଜିଲାପାଳ ଦେଇଥିବା ଆଦେଶ ପ୍ରକାରେ ସୋମବାର ଭୋଟ ହେବାକୁ କିଛି ସମୟ ବାକି ଥିବା ବେଳେ ଅଧ୍ୟକ୍ଷା ତାଙ୍କ ଇସ୍ତଫାପତ୍ର  ନିର୍ବାଚନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ  ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷେ ଅଧ୍ୟକ୍ଷାଙ୍କ ଇସ୍ତଫା ପତ୍ର ଗୃହୀତ ହୋଇ ନ ଥିବା ଯୋଗୁ ପୂର୍ବ ନିଷ୍ପତ୍ତି ପ୍ରକାରେ ଅନାସ୍ଥା ଭୋଟ ଅନୁଷ୍ଠିତ ହେଲା। ଛତ୍ରପୁର ଉପ ଜିଲାପାଳ ସୁଭାଶିଷ ବରାଳଙ୍କ ଉପସ୍ଥିତରେ ୧୬ ଜଣ କାଉନ୍ସିଲର ଉପସ୍ଥିତ ରହି ଅନାସ୍ଥା ସପକ୍ଷରେ ଭୋଟ ଦେଇ ଥିବା ଯୋଗୁ ଅଧ୍ୟକ୍ଷା ତାଙ୍କ ପଦବୀ ହରାଇଛନ୍ତି।
ଏ ନେଇ ଅଧ୍ୟକ୍ଷା  ସେଠୀ ତାଙ୍କ ଇସ୍ତଫାପତ୍ରରେ ତାଙ୍କୁ ମାନସିକ ଚାପ, ହତୋତ୍ସାହିତ ଓ ବିଷାଦ  ଅଭିଯୋଗ ଆଣି ଇସ୍ତଫା ଦେଇଥିବା  ବେଳେ ଅନାସ୍ଥା ଆଣିଥିବା କାଉନ୍‌ସିଲର  ମାନେ କହିଛନ୍ତି ଅଧ୍ୟକ୍ଷା ହଟିବା ପରେ ସହରରେ ବିଭିନ୍ନ ଉନ୍ନତି ମୂଳକ କାମ ଆରମ୍ଭ ହେବ।
ବିଜେଡି ଦଳର ସମସ୍ତେ କାଉନ୍‌ସିଲର ହୋଇଥିବା ବେଳେ ବିଜେଡି ଅଧ୍ୟକ୍ଷାଙ୍କୁ ହଟାଇବା ଘଟଣାକୁ ନେଇ ରାଜନୀତି ଚିତ୍ର ବଦଳିବ ବୋଲି ଚର୍ଚ୍ଚା ହେଉଛି।