Categories: Home Leftଖେଳ

ସୁମାକରଙ୍କ ରେକର୍ଡ ସମକକ୍ଷ ହେଲେ ହାମିଲଟନ

ବୁଦାପେଷ୍ଟ, ୧୯ା୭: ଲୁଇସ୍‌ ହାମିଲଟନ୍‌ ୮ମ ଥର ହଙ୍ଗେରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ଟାଇଟଲ ହାସଲ କରିଛନ୍ତି। ଫଳରେ ଗୋଟିଏ ଟ୍ରାକ୍‌ରେ ସର୍ବାଧିକ ବିଜୟ ହାସଲ କରିବାରେ ଜର୍ମାନୀର ଫର୍ମୁଲା ଓ୍ବାନ କିମ୍ବଦନ୍ତୀ ମାଇକେଲ ସୁମାକର ଯେଉଁ ରେକର୍ଡ କରିଛନ୍ତି, ତାହାର ସେ ସମକକ୍ଷ ହୋଇ ପାରିଛନ୍ତି। ପୁନଶ୍ଚ ଏହା ହେଉଛି ତାଙ୍କ କ୍ୟାରିୟରର ୮୬ତମ ଟାଇଟଲ । ଫର୍ମୁଲା ଓ୍ବାନରେ ସବୁଠାରୁ ଅଧିକ ଟାଇଟଲ (୯୧) ଜିତିବା ରେକର୍ଡ ମଧ୍ୟ ସୁମାକରଙ୍କ ନାମରେ ରହିଛି। ଏହାଠାରୁ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ର ଏହି ଡ୍ରାଇଭର ମାତ୍ର ୫ ବିଜୟ ପଛରେ ରହିଛନ୍ତି। ଗ୍ରୀଡ୍‌ର ୭ମ ସ୍ଥାନରୁ ଆରମ୍ଭ କରିଥିବା ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନଙ୍କ କାର୍‌ ରେସ୍‌ ଆରମ୍ଭ ହେବାରୁ ୨୦ମିନିଟ ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତାଙ୍କ କାର୍‌ ବ୍ୟାରିୟରକୁ ଧକ୍କା ଦେବାରୁ ଏହାର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା। ତଥାପି ସେ ୯ ସେକେଣ୍ଡ ବ୍ୟବଧାନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଅବଶ୍ୟ ରେସ୍‌ର ଶେଷ ଭାଗରେ ହାମିଲଟନଙ୍କ ମର୍ସିଡିଜ ଟିମ୍‌ମେଟ ଭାଲଟେରି ବୋଟାସ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ତାଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ରେସିଂ ପଏଣ୍ଟର ଲାନ୍ସ ଷ୍ଟ୍ରୋଲ୍‌, ରେଡବୁଲ୍‌ର ଆଲେକ୍‌ଜାଣ୍ଡର ଆଲ୍‌ବନ୍‌, ଫେରାରିର ସେବାଷ୍ଟିଆନ ଭେଟେଲ, ରେସିଂ ପଏଣ୍ଟର ସର୍ଗିଓ ପେରେଜ ଏବଂ ରେନଲ୍ଟର ଡାନିଏଲ ରିକାର୍ଡୋ ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ ୭ମ ଓ ୮ମ ସ୍ଥାନରେ ରହିଥିଲେ। ହାସର କେଭିନ ମାଗ୍ନସେନ ଓ ମ୍ୟାକଲରେନର କାର୍ଲୋସ ସେଞ୍ଜ୍‌ ଜୁନିୟର ୯ମ ଓ ୧୦ମ ସ୍ଥାନ ଅଧିକାର କରିଥିଲେ।

Share