ଗରମଶିରା କଡ଼େଇରେ ପଡି ପୂଜକ ଗୁରୁତର: ଶିଝିଗଲା ଅଧା ଶରୀର

ସାକ୍ଷୀଗୋପାଳ,୭।୮ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ):ଗରମଶିରା କଡ଼େଇରେ ପଡି ଜଣେ ପୂଜକ ଶୁକ୍ରବାର ଗୁରୁତର ହୋଇଛନ୍ତି। ସେ ହେଲେ ସଞ୍ଜୟ କୁମାର ପାଢ଼ୀ (୩୩)। ତାଙ୍କ ଘର ସତ୍ୟବାଦୀ ଥାନାର ଶ୍ରୀରାମଚନ୍ଦ୍ରପୁର ବଣିଆ ସାହିରେ। ଅପରାହ୍ନରେ ସେ ସାରୁଗଡିଆଛକରେ ଏକ ମିଠା ଦୋକାନରେ ଠାକୁର ପୂଜାକରି ଧୂପଦେବା ସମୟରେ ଆକଷ୍ମିକ ଭାବେ ନିକଟରେ ରହିଥିବା ଗରମଶିରା କଡ଼େଇରେ ପଡି ଯାଇଥିଲେ। ତାଙ୍କ ଶରୀରର ଅଧିକା ଅଂଶ ଶିଝି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। କଦଳୀ ପତ୍ରରେ କ୍ଷତସ୍ଥାନକୁ ଘୋଡାଇ ରାଖାଯିବା ସହିତ ମଲମ ଲଗାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ପରେପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରତିଦିନ ପରି ସାକ୍ଷୀଗୋପାଳ ବଜାର ଅଞ୍ଚଳରେ ଦୋକାନକୁ ଦୋକାନ ବୁଲି ଠାକୁରଙ୍କ ପୂଜା ଓ ଧୂପ ଦେଉଥିବା ଏହି ପୂଜକ ଜଣଙ୍କ ଆଜି ଅଘଟଣର ସମ୍ମୁଖିନ ହୋଇଥିଲେ।