ଆରପାରିରେ ଶାନ୍ତିର ପ୍ରତୀକ ବାରି ବାବୁ

ଭଦ୍ରକ, ୩।୩(ସନାତନ ରାଉତ): ଭଦ୍ରକ ସହରର ଭାଇଚାରା ଓ ଶାନ୍ତିର ପ୍ରତୀକ ହାଜି ମହମ୍ମଦ ଅବଦୁଲ ବାରି (୮୫)ଙ୍କର ସୋମବାର ପବିତ୍ର ରମଜାନ ମାସର ଦିତୀୟ ଦିନ ପୂର୍ବାହ୍ନରେ ପରଲୋକ ଘଟିଛି।
ଭଦ୍ରକ ଜିଲାରେ ସମସ୍ତଙ୍କ ପ୍ରିୟ ତଥା ଜାତୀୟ ସଦଭାବନା ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ପ୍ରାପ୍ତ ଚଉଦ ମହଲା ମୁସଲିମ ଜମାତର ସଭାପତି ବାରି ବାବୁଙ୍କ ଦେହାନ୍ତରେ ସାରା ଜିଲା ସ୍ତବ୍ଧ ହୋଇଯାଇଛି l କିଛି ଦିନ ଧରି ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ l ତାଙ୍କ ଭଦ୍ରକ ସ୍ଥିତ ବାସଭବନରେ ପରଲୋକ ହୋଇଛି l ଏହି ଖବର ଶୁଣିବା ପରେ ବିଭିନ୍ନ ମହାଳରୁ ଶୋକ ପ୍ରକାଶ ପାଇଛି l ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ପୂର୍ବତନ ଏମପି ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି l