ମେଶିନ ସାହାଯ୍ୟରେ ଚୁଟିକଟା

ୱାଶିଂଟନ: ଭଲ ପୋଷାକ ପିନ୍ଧିବା ସହ ଭଲ ବେଶଭୂଷାରେ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ଅନେକେ ପାର୍ଲର ଯାଇ ସେଠାରେ ନିଜ ଚୁଟିକୁ ମଧ୍ୟ ବିଭିନ୍ନ ଷ୍ଟାଇଲରେ କାଟିଥାନ୍ତି। ହେଲେ ନିକଟରେ ଜଣେ ବ୍ୟକ୍ତି ନିଜ ପାଇଁ ଏକ ବିଶେଷ ପ୍ରକାରର ମେଶିନ ପ୍ରସ୍ତୁତ କରିଛନ୍ତି; ଯେଉଁଥିରେ ସେ ଘରେ ହିଁ ନିଜ ଚୁଟି କାଟୁଛନ୍ତି। ସେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଲୋକେ ରୋବଟର ଚୁଟି କାଟିବା ପ୍ରଣାଳୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ତେବେ ଆମେରିକାର ଇଞ୍ଜିନିୟର ସେନ୍‌ ୱିଙ୍ଗଟନ୍‌ ଏହି ରୋବଟକୁ ନିଜେ ପ୍ରସ୍ତୁତ କରିଛନ୍ତି। ସେନ୍‌ ଭିଡିଓର କ୍ୟାପ୍ସନରେ ଲେଖିଛନ୍ତି, ଏଭଳି ମେଶିନର ସମ୍ଭାବନା ଅଧିକ ରହିଛି, ହେଲେ ସବୁଠୁ ମଜାଦାର କଥା ହେଉଛି, ଏଥିରେ ଚୁଟି କାଟିବା; ଯାହା କୌଣସି ମଣିଷ ପାଇଁ ବହୁତ କଷ୍ଟକର। ସେନ୍‌ ଏହାକୁ ପ୍ରଥମ ଜେନେରେଶନର ମେଶିନ ବୋଲି କଳନା କରନ୍ତି। ଏଥିସହ ସେ ଚୁଟି କାଟିବାର ଅନ୍ୟ ପ୍ରଣାଳୀ ଆପଣାଉଥିବା ଅନ୍ୟ ଏକ ମେଶିନ ପ୍ରସ୍ତୁତି ପାଇଁ ଆଶା ରଖିଛନ୍ତି। ତାଙ୍କର ଜଣେ ସହକର୍ମୀ ତାଙ୍କୁ ଏପରି ଏକ ମେଶିନ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ; ଯାହା ଫଳରେ ସେ ଏହି ଉପକରଣ ତିଆରି କରିଥିଲେ।