କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା ମାଥିଲି ବ୍ଲକର ବିଭିନ୍ନ ମଣ୍ଡିରେ ପଡିଥିବା ଚାଷୀଙ୍କ ଧାନ ଭିଜିଯାଇଥିବା ଅଭିଯୋଗ ହୋଇଛି। ମଣ୍ଡିରେ ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ସବୁ ପଡ଼ି ରହିଥିବା ବେଳେ କାଳବୈଶାଖୀ ବର୍ଷା ଧାନକୁ ଓଦା କରିଦେଇଛି। ତେବେ ବର୍ଷା ଭିଜା ଧାନର ଗୁଣବତ୍ତା ନଷ୍ଟ ହେବା ସହ ମିଲରଙ୍କ କଟନି ଛଟନିର ଶିକାରକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି।

ମିଳିଥିବା ସୂଚନା ମୁତାବକ, ମାଥିଲି ବ୍ଲକର ୧୪ଟି ମଣ୍ଡି ଖୋଲାଯାଇଥିବା ବେଳେ ଗତ ଡ଼ିସେମ୍ବର ୨୫ରୁ ମଣ୍ଡିଗୁଡିକରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ଚାଷୀ ଟୋକନ ସମସ୍ୟା ନେଇ ଚିନ୍ତାରେ ଥିବାବେଳେ ଏବେ କାଳବୈଶାଖୀ ବର୍ଷାରେ ଧାନ ଓଦା ହୋଇ ମଣ୍ଡିରେ ପଡି ରହିଛି । ଚାଷୀମାନେ ପାଖାପାଖି ଦୁଇ ସପ୍ତାହ ହେଲା ମଣ୍ଡିରେ ଧାନ ରଖି ଜଗି ବସିଥିଲେ ମଧ୍ୟ ଠିକ୍‌ ସମୟରେ ମଣ୍ଡିରେ ଟାର୍ଗେଟ ନ ଆସିବା ଓ ମିଲର ଠିକ ସମୟରେ ଧାନ ନ ଉଠେଇବା ଯୋଗୁ ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହେବାକୁ ବସିଲାଣି। ଓଦା ଧାନ ସରକାର କିଣିବେ ତ ବୋଲି ଚାଷୀ ମହଲରେ ପ୍ରଶ୍ନ ଉଠିଛି। ଯଦି ନ କିଣନ୍ତି ଚାଷୀକୂଳ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି।

Share