“ମୋ ଉପରେ ଥିଲା ଶାଗୁଣା ପରି ନଜର”, ବାବାଙ୍କ ବିରୋଧରେ ୨୦୧୬ରେ ମାମଲା କରିଥିଲେ ମହିଳା

ନୂଆଦିଲ୍ଲୀ,୨୬ା୯: ୨୦୧୬ରେ ଆତ୍ମଘୋଷିତ ବାବା ଚୈତନ୍ୟାନନ୍ଦ ସରସ୍ୱତୀ ବା ସ୍ୱାମୀ ପାର୍ଥସାରଥୀ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ବାବାଙ୍କର “ଶାଗୁଣା ପରି ନଜର” ତାଙ୍କ ଉପରେ ଥିଲା। ୬୨ ବର୍ଷୀୟ ଚୈତନ୍ୟାନନ୍ଦ, ଦିଲ୍ଲୀର ବସନ୍ତ କୁଞ୍ଜସ୍ଥିତ ତାଙ୍କ ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟରେ ୧୭ ଜଣ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଅଭିଯୁକ୍ତ।

ତତ୍କାଳୀନ ୨୦ ବର୍ଷୀୟ ମହିଳା କହିଛନ୍ତି, ସେ ମାତ୍ର ୮ ମାସରେ ଇନଷ୍ଟିଚ୍ୟୁଟ୍ ଛାଡ଼ି ଦେଇଥିଲେ। ସେ ଅଭିଯୋଗ କରିଛନ୍ତି, “ବାବା ମୋତେ ‘ବେବୀ’ ଓ ‘ସ୍ୱିଟ୍ ଗାର୍ଲ’ କହି ଅଶ୍ଳୀଳ ମେସେଜ୍ ପଠାଉଥିଲେ। ସନ୍ଧ୍ୟା ୬:୩୦ ପରେ ମୋତେ ତାଙ୍କ ଅଫିସକୁ ଡାକି ହଇରାଣ କରୁଥିଲେ।” ସେ ଆହୁରି କହିଛନ୍ତି, ବାବା ତାଙ୍କୁ ଦୁବାଇ ପଠାଇବାକୁ ପ୍ରଲୋଭନ ଦେଇଥିଲେ, ମୋବାଇଲ ଜବତ କରିଥିଲେ ଓ ହଷ୍ଟେଲରେ ଏକାକୀ ରହିବାକୁ ବାଧ୍ୟ କରିଥିଲେ। “ସେ ରାତିରେ ମୋ ରୁମ୍‌ର ଫୋନ୍‌ରେ କଲ୍ କରୁଥିଲେ ଓ ଅନୁଚିତ ଭାବେ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ,” ସେ କହିଛନ୍ତି।

ମହିଳାଙ୍କ ଅନୁଯାୟୀ, ସେ ମଥୁରା ଯିବାକୁ ମନା କରି ହଷ୍ଟେଲରୁ ସମସ୍ତ ଜିନିଷ ଛାଡ଼ି ପଳାଇଥିଲେ। ବାବାଙ୍କ ଅନୁଗାମୀମାନେ ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ବାପା ସେମାନଙ୍କୁ ତଡ଼ି ଦେଇଥିଲେ।

ପୋଲିସ ରେକର୍ଡ ଅନୁଯାୟୀ, ଚୈତନ୍ୟାନନ୍ଦ ୨୦୦୯ ଓ ୨୦୧୬ରେ ମଧ୍ୟ ଯୌନ ଶୋଷଣ ଅଭିଯୋଗରୁ ପ୍ରଭାବ ବଳରେ ନିସ୍ତାର ପାଇଥିଲେ। ଚଳିତ ମାମଲାରେ ୧୭ ଜଣ ମହିଳା ଅଗଷ୍ଟରେ ଦିଲ୍ଲୀରେ ଅଭିଯୋଗ ଦାଖଲ କରିଛନ୍ତି। ଚୈତନ୍ୟାନନ୍ଦ ପ୍ରଥମେ ଲଣ୍ଡନରେ ଥିବା ବୋଲି ସନ୍ଦେହ କରାଯାଇଥିଲା, କିନ୍ତୁ ପରେ ଆଗ୍ରାରେ ତାଙ୍କୁ ଖୋଜାଯାଇଥିଲା। ସେ ଦିଲ୍ଲୀ ହାଇକୋର୍ଟରେ ଅଗ୍ରୀମ ଜାମିନ ଆବେଦନ କରିଥିଲେ, କିନ୍ତୁ ପରେ ତାହା ପ୍ରତ୍ୟାହାର କରିଥିଲେ।

ଦିଲ୍ଲୀ ପୋଲିସ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ରାଜସ୍ଥାନରେ ଚଢ଼ାଉ କରିଛି। ତାଙ୍କୁ ଦେଶ ଛାଡ଼ି ପଳାଇବାରୁ ରୋକିବା ପାଇଁ ଲୁକଆଉଟ୍ ସର୍କୁଲାର ଜାରି ହୋଇଛି। ବର୍ତ୍ତମାନ ସେ ଫେରାର ରହିଛନ୍ତି।