ବୁଦ୍ଧଙ୍କ ମାର୍ଗ ଅନୁସରଣ କରିଥିଲେ ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା କରିବାକୁ ପଡ଼ି ନ ଥାନ୍ତା: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଶ୍ୱ ବୌଦ୍ଧ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତର ପଥ। ଯଦି ବିଶ୍ୱବାସୀ ବୁଦ୍ଧଙ୍କ ଶିକ୍ଷା ଅନୁସରଣ କରିଥାନ୍ତେ, ତେବେ ଜଳବାୟୁ ପରିବର୍ତ୍ତନ ପରି ସଙ୍କଟର ସମ୍ମୁଖୀନ ହେବାକୁ ପଡି ନଥାନ୍ତା। ଦୁଇ ଦିନିଆ ଶିଖର ସମ୍ମିଳନୀ ଅନ୍ତର୍ଜାତୀୟ ବୌଦ୍ଧ କନଫେଡେରେଶନ ସହଯୋଗରେ ଏପ୍ରିଲ ୨୦-୨୧ ରେ ରାଜଧାନୀର ଅଶୋକା ହୋଟେଲରେ ଆୟୋଜିତ ହେଉଛି।

ଏଥିରେ ୩୦ ଦେଶର ୧୭୧ ପ୍ରତିନିଧୀ ଯୋଗଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଭଳି ସଙ୍କଟ ଆସିଛି କାରଣ ଗତ ଶତାବ୍ଦୀରେ କିଛି ଦେଶ ଆଗାମୀ ପିଢ଼ି ବିଷୟରେ ଚିନ୍ତା କରି ନ ଥିଲେ। ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରତ୍ୟେକ କାର୍ଯ୍ୟ ପୃଥିବୀକୁ ପ୍ରଭାବିତ କରୁଛି। ଏହା ଆମର ଜୀବନଶୈଳୀ ହେଉ ବା ନ ହେଉ, ଏହା ପୃଥିବୀ ଉପରେ ମଧ୍ୟ ପ୍ରଭାବ ପକାଉଛି ।

ଆମେ ଚାହିଁଲେ ଏହି ସଙ୍କଟରୁ ପୃଥିବୀକୁ ସୁରକ୍ଷା ପ୍ରଦାନ କରିପାରିବା। ଜଳବାୟୁ ପରିବର୍ତ୍ତନର ଆହ୍ବାନକୁ ସମସ୍ତେ ମୁକାବିଲା କରିପାରିବେ। ଲୋକମାନେ ସଚେତନ ହେବା ଏବଂ ଉଦ୍ୟମ କରିବା ଆବଶ୍ୟକ। ମିଳିତ ପ୍ରୟାସ ସହିତ ଏହି ବଡ ସମସ୍ୟାକୁ ସମାଧାନ କରାଯାଇପାରିବ। ଏହା ହେଉଛି ବୁଦ୍ଧଙ୍କ ମାର୍ଗ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଆମେ ବିଶ୍ୱକୁ ଖୁସି କରିବାକୁ ଚାହୁଁ, ତେବେ ଆମକୁ ନିଜଠାରୁ ବାହାରକୁ ଆସି ଦୁନିଆର ସଂକୀର୍ଣ୍ଣ ଚିନ୍ତାଧାରା ଛାଡିବାକୁ ପଡିବ।

Share