ରୋଷେଇ କରିବାକୁ ମନା କଲେ ସ୍ତ୍ରୀ, ରାଗିଯାଇ ଗୁଳି କରି ହତ୍ୟା କଲେ ସ୍ବାମୀ

ଭୋପାଳ,୮।୨: ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମାନସିକ ବିକାରଗ୍ରସ୍ତ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଘଟଣା ପଛର କାରଣ ଆଶ୍ଚର୍ଯ୍ୟଜନକ । ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ରୋଷେଇ କରିବାକୁ କହିଥିଲେ, କିନ୍ତୁ ସେ ମନା କରିଦେଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

ସ୍ୱାମୀ ସର୍ବଦା ନିଶା କରୁଥିବା ବେଳେ ସ୍ତ୍ରୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସୂଚନା ପାଇବା ପରେ ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି ।

ପୋଲିସ ପକ୍ଷରୁ କୁହାଯାଇଛି ଯେ, ଘଟଣାଟି ଗ୍ୱାଲିୟର ସହରର ଥାଟିପୁର ଅଞ୍ଚଳରେ ଘଟିଛି। ସ୍ୱାମୀ ସୋନୁ ତୋମାର ରାତି ପ୍ରାୟ ୧୧ଟା ସମୟରେ ମଦ୍ୟପାନ କରି ଘରକୁ ପହଞ୍ଚିବା ପରେ ସେ ତାଙ୍କ ସ୍ତ୍ରୀ ରୁଚି ତୋମାରଙ୍କୁ ରୋଷେଇ କରିବାକୁ କହିଥିଲେ। ରୁଚି ତୋମାର ବହୁତ ଦିନ ଧରି ଅସୁସ୍ଥ ଥିଲେ। ଯେତେବେଳେ ସ୍ତ୍ରୀ ରୁଚି ତୋମାର ତାଙ୍କ ଅସୁସ୍ଥତା ଯୋଗୁଁ ରୋଷେଇ କରିବାକୁ ମନା କରିଦେଲେ, ଅଭିଯୁକ୍ତ ସ୍ୱାମୀ ସୋନୁ ତୋମାର ତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କଲେ।

ଯେତେବେଳେ ଅଭିଯୁକ୍ତଙ୍କ ମା’ ଏବଂ ପିଲାମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ ସେ ରାଗିଯାଇ ତାଙ୍କୁ ଗୁଳି ମାରି ଦେଇଥିଲେ । ତେବେ ଖବର ପାଇ ଥାଥିପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୁରାର ଥାନା ସିଏସ୍ପି ଅତୁଲ ସୋନି କହିଛନ୍ତି ଯେ ଅଭିଯୁକ୍ତ ସ୍ୱାମୀ ସୋନୁ ତୋମାରଙ୍କୁ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି। ପୋଲିସ କହିଛି ଯେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଚାଲିଥିଲା। ସ୍ତ୍ରୀ ଅସୁସ୍ଥ ଏବଂ ମଦ୍ୟପ ଥିଲେ। ଅଭିଯୁକ୍ତ ତାଙ୍କୁ ରୋଷେଇ ନକରିବାରୁ ହତ୍ୟା କରିଥିଲେ। ପ୍ରାୟ ଚାରିରୁ ପାଞ୍ଚ ଗୁଳି ବାଜିଥିଲା।

 

Dharitri – Odisha’s No.1 Odia Daily