ଲଙ୍କାଚାଷ କରି ଦୁଇ ପଇସା ରୋଜଗାର କରୁଛନ୍ତି ଗୁଣ ନାଏକ, କହିଲେ ସଫଳତାର ସୂତ୍ର…

କେସିଙ୍ଗା,୨୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ପଞ୍ଚାୟତର କଣ୍ଟାପଡ଼ା ଗ୍ରାମର ଜଣେ ସଫଳ ଚାଷୀ ୨୦ ଡେସିମିଲି ଜାଗାରେ ଲଙ୍କାଚାଷ କରି ସଫଳ ହୋଇଥିବାରୁ ଗତ ୧୮ ତାରିଖରେ ଅନୁଷ୍ଠିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ପ୍ରଦର୍ଶନ କରାଯାଇଥିଲା। କଣ୍ଟାପଡ଼ା ଗ୍ରାମର ଗୁଣ ନାଏକ (୫୧)। ନିଜସ୍ବ ୨୦ ଡେସିମିଲି ଜାଗାରେ ଲଙ୍କାଚାଷ କରି ସଫଳ ହୋଇଛନ୍ତି। ଦିନେ ଛଡ଼ା ଦିନେ ୨୦ ଡେସିମିଲ ଜାଗାରୁ ଦେଢ଼ କ୍ୱିଣ୍ଟାଲ କଞ୍ଚାଲଙ୍କା ଅମଳ କରି ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ବର୍ତ୍ତମାନ ଏହି ଚାଷୀ ଜଣକ କେସିଙ୍ଗା, ଭବାନୀପାଟଣା ସହରକୁ ନେଇ କେଜି ପ୍ରତି ୧୫୦ରୁ ୨୦୦ଟଙ୍କା ଦରରେ ବିକ୍ରି କରି ୧୫ ଦିନରେ ୩୦ରୁ ୩୫ ହଜାର ଟଙ୍କା ଉପାର୍ଜନ କରି ଲାଭବାନ ହୋଇଥିବାରୁ ସେହି ଚାଷୀଙ୍କ ଲଙ୍କାକୁ ଗତ ୧୮ ତାରିଖରେ ଅନୁଷ୍ଠିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ କୃଷି ବିଭାଗର ବ୍ଲକ କୃଷି ଅଧିକାରୀ ଏବିଓଙ୍କ ନେତୃତ୍ୱରେ ଏକ ଷ୍ଟଲ୍‌ରେ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ଚାଷୀଙ୍କୁ କୃଷି କିମ୍ବା ହର୍ଟିକଲଚର ବିଭାଗ ପକ୍ଷରୁ ଯଦିଓ ଆବଶ୍ୟକତା ଅନୁସାରେ କୃଷି ସାମଗ୍ରୀ, ବିହନ, ସାର ଯୋଗାଇଦେଲେ ଜଣେ ଦକ୍ଷଚାଷୀ ଭାବେ ବିଭିନ୍ନ ଚାଷ କରି ଉପକୃତ ହୋଇପାରନ୍ତେ। ଏନେଇ ଗୁଣ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି, କୃଷି ବିଭାଗ କିମ୍ବା ହର୍ଟିକଲଚର ବିଭାଗ ପକ୍ଷରୁ ଆବ୍ୟକତାଗୁଡ଼ିକ ଅନୁସାରେ ସାମଗ୍ରୀ ଯୋଗାଇଦେଲେ ମୁଁ ଜିଲାରେ ଶ୍ରେଷ୍ଠ ଚାଷୀ ହୋଇପାରିବି। ଏନେଇ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର ସିଂଙ୍କୁ ପଚାରିବାରୁ ଏ ଭଳି ଚାଷୀଙ୍କୁ ଆମ ବିଭାଗ ପକ୍ଷରୁ ଆବଶ୍ୟକ ସାମଗ୍ରୀ ସବସିଡି ଆକାରେ ଯୋଗାଇବା ପାଇ ଚେଷ୍ଟା କରିବୁ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Share