ଲଜ୍ଜା! ଜଙ୍ଗଲକୁ ନେଇ ନାବାଳିକା ଝିଅକୁ ବଳାତ୍କାର କଲେ ପିଶାଚ ବାପା

ନୂଆଦିଲ୍ଲୀ,୧୮ା୧: ପବିତ୍ର ବାପା-ଝିଅ ସମ୍ପର୍କରେ ଲାଗିଛି କଳଙ୍କ। ପିଶାଚ ବାପା ନିଜର ୧୫ ବର୍ଷର ନାବାଳିକା ଝିଅକୁ ଜଙ୍ଗଲ ନେଇ ଜବରଦସ୍ତି ବଳାତ୍କାର କରିଛନ୍ତି। ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ପୋଲିସ ମାମଲାରେ ତତ୍ପରତା ଦେଖାଇ ମାତ୍ର ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବାପାକୁ ଗିରଫ କରିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜ ବାପା ସହିତ ବମୌରୀ ଅଞ୍ଚଳକୁ ଜଣେ ବ୍ୟକ୍ତିଙ୍କଠାରୁ ଜମି ବିକ୍ରି ଟଙ୍କା ଆଣିବାକୁ ଯାଉଥିଲେ। ବାଟରେ ଶୀଘ୍ର ପହଞ୍ଚିବା ବାହାନା କରି ବାପା ତାଙ୍କୁ ଜଙ୍ଗଲ ରାସ୍ତା ଦେଇ ନେଇଥିଲା। ଜଙ୍ଗଲ ମଧ୍ୟରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ଝିଅକୁ ମାଡ଼ ମାରିବାକୁ ଧମକ ଦେଇ ବଳପୂର୍ବକ ବଳାତ୍କାର କରିଥିଲା। ଏହି ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ସେ ନାବାଳିକାକୁ ଭୟଭୀତ କରିଥିଲା।

ଘଟଣା ପରେ ଉଭୟ ଗାଁକୁ ଫେରିଥିଲେ। ସେହି ସମୟରେ ମା’ ଘରେ ନ ଥିବାରୁ ପୀଡ଼ିତା ଜଣକ ଭୟ ଓ ମାନସିକ ଆଘାତ ସହିତ ନିଜ ପିଉସାଙ୍କ ଘରକୁ ଚାଲିଯାଇଥିଲେ। ପରେ ସେଠାରେ ସାହସ ସଞ୍ଚୟ କରି ସେ ନିଜ ମା’କୁ ସବୁ କଥା ଜଣାଇଥିଲେ। ମା’ ଓ ଝିଅ ମିଶି କ୍ୟାଣ୍ଟ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

ପୋଲିସ ପ୍ରଥମେ ‘ଜିରୋ ଏଫଆଇଆର୍’ ରୁଜୁ କରି ମାମଲାକୁ ବମୌରୀ ଥାନାକୁ ସ୍ଥାନାନ୍ତର କରିଥିଲା। ବମୌରୀ ପୋଲିସ ଅଭିଯୁକ୍ତ ବିରୋଧରେ, ବଳାତ୍କାର (ପୋକ୍ସୋ ଆକ୍ଟ ଏବଂ ଅନ୍ୟାନ୍ୟ ସଂଗୀନ ଦଫାରେ ମାମଲା ରୁଜୁ କରିଥିଲା।

ବମୌରୀ ଏସଡିଓପି ବିବେକ ଅଷ୍ଠାନା କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାତ୍ର ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ସେଠାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି।

Share