ଅସ୍ତ୍ର ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ରାଉରକେଲା,୨।୧୨(ସଂଗୀତା ଜେନା): ରାଉରକେଲା ବ୍ରାହ୍ମଣୀତରଙ୍ଗ ପୋଲିସ ଏକ ଅବୈଧ ଅସ୍ତ୍ର କାରବାରର ପର୍ଦ୍ଦାଫାସ କରି ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ଗୋଟିଏ ଦେଶୀ ରିଭଲଭର, ଦୁଇଟି ଦେଶୀ ସିଙ୍ଗଲ-ସଟ ପିସ୍ତଲ, ୩୫ ଖଣ୍ଡା ଏବଂ ତିନୋଟି ଜୀବନ୍ତ କାର୍ଟୁସ ଜବତ କରିଛିି।  ଏ ନେଇ ପୋଲିସ ମାମଲା (ନଂ ୪୯୭/୨୫) ରୁଜୁ କରିଛି। ଏ ସଂକ୍ରାନ୍ତରେ ପୋଲିସ ମୁଖ୍ୟାଳୟରେ ମଙ୍ଗଳବାର ଅପରାହ୍ନ ୧ଟାରେ ଖବରଦାତା ସମ୍ମିଳନୀରେ ସୁଚନା ପ୍ରଦାନ କରାଯାଇଛି।
ରାଉରକେଲା ଏସ୍‌ପି ନିତେଶ  ୱାଧବନି ସୂଚନା ଦେଇ କହିଛନ୍ତି , ଡିସେମ୍ବର ୧ ତାରିଖ ରାତି ପ୍ରାୟ ୯ଟା ସମୟରେ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଶଙ୍ଖ ସେତୁ ନିକଟରେ ପୋଲିସ ବେଆଇନ ଅସ୍ତ୍ର ଚାଲାଣ ସମ୍ପର୍କରେ ସୂଚନା ପାଇଥିଲା। ଇନ୍ସପେକ୍ଟର ଉଦୟ ସାହୁ, ଏସଆଇ ଏସ୍‌କେ ସ୍ବାଇଁ, କନଷ୍ଟେବଳ ଏକେ ଜେନା ଏବଂ ପି ପ୍ରଧାନଙ୍କୁ ନେଇ ଗଠିତ ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି ଅଭିଯୁକ୍ତ ସୁନୀଲ ମାଝି ଓରଫ ରେବେ (୪୧), ଅଞ୍ଚଳର ବଡମାରେନ ଟୁରିଟୋଲା ନିବାସୀ, ଦୌଡ଼ି ପଳାଇଥିଲେ କିନ୍ତୁ ତାଙ୍କୁ ପିଛାକର ପୋଲିସ  ଗିରଫ କରିଥିଲା। ଖୋଜାଖୋଜି ସମୟରେ ତାଙ୍କ ପାଖରୁ ଏକ ଦେଶୀ ପିସ୍ତଲ ଏବଂ ତିନୋଟି ଜୀବନ୍ତ କାର୍ଟୁସ ଜବତ କରାଯାଇଥିଲା। ପଚରାଉଚରା ସମୟରେ ସେ ପ୍ରକାଶ କରିଥିଲେ ଯେ,  ସେ ଝାଡ଼ଖଣ୍ଡରୁ ଅସ୍ତ୍ର ଏବଂ କାର୍ଟୁସ ଆମଦାନୀ କରି ରାଉରକେଲା ଏବଂ ସୁନ୍ଦରଗଡ଼ର ବିଭିନ୍ନ ଗ୍ରାହକଙ୍କୁ ବିକ୍ରି କରୁଥିଲେ। ପୋଲିସ ଅଭିଯୁକ୍ତଙ୍କ କୁଆରମୁଣ୍ଡାର ଚୁଟିଆଟୋଲାରେ ଥିବା ଭଡା ଘରେ ଚଢାଉ କରି ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ସିଙ୍ଗଲ-ସଟ ବନ୍ଧୁକ, ଗୋଟିଏ କାଠ-ଗ୍ରୀପ ରିଭଲଭର ଏବଂ ୩୫ଟି ଖଣ୍ଡା ଜବତ କରିଛି। ସାକ୍ଷୀଙ୍କ ଉପସ୍ଥିତିରେ ଏହାି ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ  ବିଭିନ୍ନ ମାମଲାରେ ପୂର୍ବରୁ କୋଡ଼ିଏଟି ମାମଲା ବିଚାରାଧୀନ ଅଛି।
Dharitri – Odisha’s No.1 Odia Daily