‘ଗଲ୍ଫ ଅଫ୍‌ ମେକ୍ସିକୋ’ ଏବେ ‘ଗଲ୍ଫ ଅଫ୍‌ ଆମେରିକା’: ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ଗଲ୍ଫ ଅଫ୍‌ ମେକ୍ସିକୋ’ର ନାମ ପରିବର୍ତ୍ତନ କରି ଏହାକୁ ‘ଗଲ୍ଫ ଅଫ୍‌ ଆମେରିକା’ ରଖିଛନ୍ତି। ଟ୍ରମ୍ପ୍‌ ରବିବାର ଏ ସଂକ୍ରାନ୍ତରେ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ସ୍ବାକ୍ଷର କରି କହିଛନ୍ତି, ଏହି ନାମକରଣ ଦ୍ୱାରା ଇତିହାସରେ ଆମେରିକୀୟ ମହାନତାର ଗୌରବ ଫେରିଆସିଛି। ଫେବୃଆରୀ ୯ ଦିନଟି ଏଣିକି ‘ଗଲ୍ଫ୍‌ ଅଫ୍‌ ଆମେରିକା ଡେ’ ନାମରେ ପରିଚିତ ହେବ।
ଟ୍ରମ୍ପ୍‌ ସ୍ବାକ୍ଷର କରିଥିବା ଏକ୍‌ଜିକ୍ୟୁଟିଭ୍‌ ଅର୍ଡରକୁ ହ୍ବାଇଟ୍‌ ହାଉସ୍‌ ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଉତ୍ତରପୂର୍ବ, ଉତ୍ତର ଏବଂ ଉତ୍ତରପଶ୍ଚିମ ସଂଲଗ୍ନ ରାଜ୍ୟ ଟେକ୍ସାସ, ଲୁଇସିଆନା, ମିସିସିପି, ଅଲାବାମା ଓ ଫ୍ଲୋରିଡା ଦ୍ୱାରା ଆବଦ୍ଧ ତଥା ଉପକୂଳବର୍ତ୍ତୀ ମେକ୍ସିକୋ ଏବଂ କ୍ୟୁବା ପର୍ଯ୍ୟନ୍ତ ପରିବ୍ୟାପ୍ତ ୟୁଏସ୍‌ କଣ୍ଟିନେଣ୍ଟାଲ ସେଲଫ୍‌ ଏରିଆ ପୂର୍ବରୁ ‘ଗଲ୍ଫ ଅଫ୍‌ ମେକ୍ସିକୋ’ ନାମରେ ପରିଚିତ ଥିଲା। ଏହା ଏଣିକି ‘ଗଲ୍ଫ୍‌ ଅଫ୍‌ ଆମେରିକା’ ନାମରେ ପରିଚିତ ହେବ। ଗୃହ ସଚିବ ଡୋଉଗ୍‌ ବୁର୍ଗୁମ୍‌ ଏହି ନିର୍ଦ୍ଦେଶନାମାକୁ ୩୦ ଦିନ ଭିତରେ କାର୍ଯ୍ୟକାରୀ କରିବେ। ପୋଷ୍ଟ ଅନୁଯାୟୀ ଆମେରିକା ତଟରକ୍ଷୀ ବାହିନୀ ନୂଆ ନାମକୁ ବ୍ୟବହାର କରିବା ଆରମ୍ଭ କରିଦେଇଛି।
ପ୍ରକାଶ ଯେ, ଟ୍ରମ୍ପ୍‌ ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରଠୁ ମେକ୍ସିକୋକୁ ଟାର୍ଗେଟ କରିଆସୁଛନ୍ତି। ଏପରି କି ସେ ମେକ୍ସିକୋରୁ ଆମେରିକାକୁ ରପ୍ତାନି ସାମଗ୍ରୀଗୁଡ଼ିକ ଉପରେ ୧୫% ବାଣିଜ୍ୟ ଶୁଳ୍କ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ଶେଇନ୍‌ବଉମ୍‌ ଆମେରିକୀୟ ସାମଗ୍ରୀ ଉପରେ ଅନୁରୂପ ଟିକସ ଲଗାଇବାକୁ ଜବାବୀ ଧମକ ଦେବା ପରେ ଟ୍ରମ୍ପ୍‌ ପ୍ରଶାସନ ନିଜ ନିଷ୍ପତ୍ତିକୁ ମାସକ ପାଇଁ ସ୍ଥଗିତ ରଖିଛି।
ତେବେ ଟ୍ରମ୍ପ୍‌ଙ୍କ ଏହି ଏକତରଫା ପଦକ୍ଷେପକୁ ଅନ୍ତର୍ଜାତୀୟ ସମୁଦାୟର ସ୍ବୀକୃତି ମିଳି ନ ଥିବାରୁ ଏହାର ବୈଧତା ଉପରେ ପ୍ରଶ୍ନ ଉଠିଲାଣି।