Categories: Home Middleଖେଳ

ଡି. ଗୁକେଶ ସର୍ବକନିଷ୍ଟ ବିଶ୍ୱ ଚେସ୍ ଚାମ୍ପିୟନ

ନୂଆଦିଲ୍ଲୀ,୧୨।୧୨: ଡିଫେଣ୍ଡିଂ ଚାମ୍ପିୟନ ଚାଇନାର ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱ ଚେସ ଚାମ୍ପିୟନଶିପରେ ବିଜୟ ହାସଲ କରିଛନ୍ତି ଭାରତର ଡି. ଗୁକେଶ। ୧୪ ରାଉଣ୍ଡ ବିଶିଷ୍ଟ ଏହି ମୁକାବିଲାର ଶେଷ ରାଉଣ୍ଡରେ ଗୁକେଶ ଲାରେନଙ୍କୁ ହରାଇ ଇତିହାସ ରଚିଛନ୍ତି। ଉଭୟେ ୬.୫ ପଏଣ୍ଟ ସହିତ ଫାଇନାଲ୍ ମୁକାବିଲାକୁ ଓହ୍ଲାଇଥିଲେ। ଏକ ସମୟରେ ଏପରି ଲାଗୁଥିଲା ଯେ ଏହି ମୁକାବିଲା ମଧ୍ୟ ଡ୍ର ଆଡକୁ ଅଗ୍ରଗତି କରୁଛି। କିନ୍ତୁ ସମୟ ଅଭାବ କାରଣରୁ ଡିଙ୍ଗ ଲାରେନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଏଥିସହିତ ୨୦୧୨ରେ ବିଶ୍ୱନାଥ ଆନନ୍ଦଙ୍କ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ବିଶ୍ୱ ଚେସ୍ ଚାମ୍ପିୟନ ହୋଇଛନ୍ତି।

ଗୁକେଶଙ୍କ ପୂର୍ବରୁ ରୁଷିଆର ଗ୍ୟାରୀ କାସ୍ପାରୋଭ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଥିଲେ। ସେ ୧୯୮୫ରେ ୨୨ ବର୍ଷରେ ଏହି ସଫଳତା ପାଇଥିଲେ। ସେତେବେଳେ କାସ୍ପାରୋଭ ଫାଇନାଲରେ ଅନ୍ୟତମ ରୁଷୀୟ ଗ୍ରାଣ୍ଡମାଷ୍ଟର ଆନାଟୋଲି କାର୍ପୋଭଙ୍କୁ ପରାସ୍ତ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ କ୍ୟାଣ୍ଡିଡେଟ୍ସ ଚେସ୍‌ ଟୁର୍ନାମେଣ୍ଟ ଟାଇଟଲ ଜିତିଥିବାରୁ ସର୍ବକନିଷ୍ଠ ଚ୍ୟାଲେଞ୍ଜର ଭାବେ ଗୁକେଶ ବିଶ୍ୱ ଚାମ୍ପିୟନଶିପ୍‌ରେ ଅବତୀର୍ଣ୍ଣ ହୋଇଥିଲେ।

୫ ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ବିଶ୍ୱ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଆନନ୍ଦ ୫ ଥର ବିଶ୍ୱ ଚାମ୍ପିୟନ ହୋଇଥିଲେ। ଶେଷଥରପାଇଁ ସେ ୨୦୧୩ରେ ଏହି ଟ୍ରଫି ଜିତିଥିଲେ। ଟାଇଟଲ ଜିତିବାପରେ ଭାବପ୍ରବଣ ହୋଇ ପଡ଼ିଥିଲେ ଗୁକେଶ। ”ଏହି କ୍ଷଣକୁ ମୁଁ ଗତ ୧୦ ବର୍ଷଧରି ଅପେକ୍ଷା କରିଥିଲି। ଏବେ ତାହା ସାକାର ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଛି, କାରଣ ଅନ୍ତିମ ରାଉଣ୍ଡରେ କିଛି ବି ହେବାର ଥିଲା। ମାତ୍ର ମୁଁ ଚାନ୍ସ ନେଇ ସଫଳ ହୋଇଛି। ମୋ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଡିଙ୍ଗ୍‌ ହେଉଛନ୍ତି ପ୍ରକୃତ ବିଶ୍ୱ ଚାମ୍ପିୟନ। ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ମୋ ପାଇଁ ପରିବାରବର୍ଗ ବହୁତ ତ୍ୟାଗ କରିଛନ୍ତି। ତେଣୁ ବିଶ୍ୱ ଟାଇଟଲ ବିଜୟ ମୋ ଅପେକ୍ଷା ସେମାନଙ୍କ ପାଇଁ ବହୁତ ବଡ଼ ଉପଲବ୍ଧି“ ବୋଲି ଗୁକେଶ ପ୍ରକାଶ କରିଛନ୍ତି।

Share