Categories: Home Leftଖେଳ

ଗୁଜରାଟ ଫାଇନାଲରେ ପହଞ୍ଚିବା ପଛରେ କାହାର ବଡ଼ ଭୂମିକା? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୫: ଇତିହାସ ସୃଷ୍ଟି କଲା ଗୁଜରାଟ ଟାଇଟାନ୍ସ(ଜିଟି)। ସେ ଆଇପିଏଲର କ୍ରମାଗତ ଦ୍ୱିତୀୟ ସିଜନର ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ହରାଇ ଗୁଜରାଟ ବିଜୟୀ ହୋଇଛି। ଦଳର ସାମଗ୍ରିକ ପ୍ରଦର୍ଶନ ଅନ୍ୟ ଦଳ ଅପେକ୍ଷା ଭଲ ଥିଲା। ଦଳ ପାଇଁ ଶୁଭମାନ ଗିଲ ତିନି ଶତକ ହାସଲ କରିଛନ୍ତି। ଗୁଜରାଟର ସଫଳତାରେ କୋଚିଂ ଷ୍ଟାଫ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଆଶିଷ ନେହେରା ଏବଂ ଗ୍ୟାରି କିର୍ଷ୍ଟେନଙ୍କ ନାମ ଶୀର୍ଷରେ ଆସିବ।

ଆଇପିଏଲ ୨୦୨୩ରେ ଅରେଞ୍ଜ କ୍ୟାପ ଗୁଜରାଟର ବ୍ୟାଟ୍ସମ୍ୟାନ ଶୁବମାନ ଗିଲଙ୍କ ସହ ଅଛି। ସେ ୧୬ଟି ମ୍ୟାଚରେ ୮୫୧ରନ ସଂଗ୍ରହ କରିଛନ୍ତି। ଶୁବମାନ ଜଣେ ଦକ୍ଷ ଖେଳାଳି। କିନ୍ତୁ ଏହି ସିଜନରେ ବ୍ୟାଟିଂ ପ୍ରଶିକ୍ଷକ ଗ୍ୟାରି କିର୍ଷ୍ଟେନଙ୍କଠାରୁ ତାଙ୍କୁ ବହୁତ ସାହାଯ୍ୟ ମିଳିଥିଲା। ତେବେ ସିଜନ ପର୍ପଲ କ୍ୟାପ ବର୍ତ୍ତମାନ ମହମ୍ମଦ ଶାମିଙ୍କ ସହିତ ଅଛି । ଶାମି ୨୮ ଉଇକେଟ୍‌ ନେଇଥିବା ବେଳେ ରସିଦ ଖାନ ୨୭ ଉଇକେଟ ନେଇଛନ୍ତି। ସେହିପରି ମୋହିତ ଶର୍ମା ମଧ୍ୟ ୨୪ ଉଇକେଟ ନେଇଛନ୍ତି। ଚଳିତ ସିଜନରେ ସର୍ବାଧିକ ଉଇକେଟ ନେଇ ଗୁଜରାଟର ତିନି ବୋଲର ଶ୍ରେଷ୍ଠ ତିନି ସ୍ଥାନରେ ରହିଛନ୍ତି। ଏଥିରେ ନେହେରାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଉଛି। ନେହେରା ଜଣେ ଅଭିଜ୍ଞ ବୋଲର ଏବଂ ବର୍ତ୍ତମାନ ଦଳର କୋଚ ହୋଇଛନ୍ତି ।

ଗୁଜରାଟର ବ୍ୟାଟିଂ ଲାଇନ, ବୋଲିଂ ଆଟାକ୍‌ ଏବଂ ଫିଲ୍ଡିଂ ରଣନୀତିରେ ନେହେରା ଏବଂ କିର୍ଷ୍ଟେନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ନେହେରାଙ୍କ ସହ ଗୁଜରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବହୁତ ଭଲ ସମ୍ପର୍କ ରହିଛି, ଯାହା ପଡ଼ିଆ ବାହାରେ ଦୃଶ୍ୟମାନ ହୁଏ। ଉଭୟ ମ୍ୟାଚ ପୂର୍ବରୁ ଏବଂ ସମୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଯେତେବେଳେ ଅଧିନାୟକ ଏବଂ କୋଚଙ୍କ ମଧ୍ୟରେ ସମ୍ପର୍କ ଭଲ, ଦଳର ସାମଗ୍ରିକ ପ୍ରଦର୍ଶନ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଥାଏ। ଗୁଜରାଟ ମଧ୍ୟ ଏହାର ଲାଭ ପାଇଲା। କିର୍ଷ୍ଟେନଙ୍କ ଅଭିଜ୍ଞତା ମଧ୍ୟ ଗୁଜରାଟକୁ ବହୁତ ଲାଭ ଦେଲା।