Categories: Home Leftଖେଳ

ପଏଣ୍ଟ ଖାତା ଖୋଲିଲା ଗୁଜରାଟ

ଭୁବନେଶ୍ୱର,୨୬ା୧୨(ସରୋଜ ଜେନା) କଟକ ସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ପ୍ରଥମ ବିଜୟ ହାସଲ କରିଛି ଗୁଜରାଟ ଜାଏଣ୍ଟ୍ସ। ସୋମବାର ସନ୍ଧ୍ୟାରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ଓ୍ବାରିୟର୍ସକୁ ଦଳ ୪୧-୩୦ ପଏଣ୍ଟରେ ପରାସ୍ତ କରିଛି। ରାଜସ୍ଥାନର ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ ନିକଟରୁ ଏହା ୩୫-୨୭ରେ ପରାଜିତ ହୋଇଥିଲା। ରାଜସ୍ଥାନର ସୌରଭ ଗଡଗେ ସର୍ବାଧିକ ୮ ପଏଣ୍ଟ ସ୍କୋର କରିଥିବା ବେଳେ ଗୁଜରାଟର ଶୁଭମ ଥୋରାଟ ୨.୨୩ ମିନିଟ ଡିଫେଣ୍ଡ କରିଥିଲେ। ସୋମବାର ସନ୍ଧ୍ୟାର ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ କ୍ୱିକ୍‌ ଗନ୍ସ ୩୮-୩୨ ପଏଣ୍ଟରେ ତେଲୁଗୁ ଯୋଦ୍ଧାସକୁ ପରାସ୍ତ କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ପରେ ଗୁଜରାଟ ଜାଏଣ୍ଟ୍ସ ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶା ଜଗରନଟ୍ସ ସମାନ ୩ ପଏଣ୍ଟ ପାଇଥିଲେ ମଧ୍ୟ ଟ୍ୟାକେଲ ବ୍ୟବଧାନରେ ଦଳ ପଛରେ ରହିଛି।
ମଙ୍ଗଳବାର ମୁମ୍ବାଇ ଖିଲାଡିଜ୍‌ ଓ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ସେହିପରି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ ଓ ଚେନ୍ନାଇ କ୍ୱିକ୍‌ ଗନ୍ସ ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ।