କୃଷି ମେଳାକୁ ଆସିଥିବା ଅତିଥି ଆଉ ଚାଷୀଙ୍କୁ ଦିଆଗଲା ବାସି ଟିଫିନ, ରାଗିଗଲେ…

ପାରଳାଖେମୁଣ୍ଡି,୭ା୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆଞ୍ଚଳିକସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି। ତେବେ କୃଷିମେଳାକୁ ନିମନ୍ତ୍ରଣ କରାଯାଇଥିବା କୃଷକ ଓ ଅନ୍ୟ ଅତିଥିଙ୍କ ସତ୍କାର ପାଇଁ ପ୍ରଦାନ କରାଯାଇଥିବା ଜଳଖିଆ ପାକେଟ୍‌ ବାସି ହୋଇଥିବାରୁ ଏହାକୁ ସେମାନେ ଫିଙ୍ଗି ଦେଇଥିଲେ। ଫଳରେ କିଛି ସମୟ ସେଠାରେ ବିବାଦୀୟ ପରିସ୍ଥିତି ଉପୁଜିଥିତ୍ଲା। ପରେ ଏହାକୁ ବାହାର କରି ଉପସ୍ଥିତ ଲୋକଙ୍କୁ ପ୍ରଦାନ କରାଯାଇଥିଲା। ସମସ୍ତେ ଖାଇ ଟିଫିନ ପ୍ୟାକେଟରେ ଥିବା ବରା ବାସିଗନ୍ଧ ହେଉଥିବା ଓ ଖଟା ଲାଗୁଥିବା ଅନେକ ଲୋକ ଅଭିଯୋଗ କରିଥିଲେ। ଅନେକ ନ ଖାଇ ଟିଫିନ ପ୍ୟାକେଟକୁ ଫୋପାଡୁ ଥିବା ଦେଖିବାକୁ ମିଳିଥିଲା।
ଏନେଇ ଦାୟିତ୍ୱରେ ଥିବା ଉପରିସ୍ଥ କର୍ମଚାରୀଙ୍କୁ ପଚାରିବାରୁ ଯିଏ ଦେଇଛି ତାକୁ ପଚାର ବୋଲି କହିଥିଲେ। ଏଭଳି ଉତ୍ତର ପାଇ ଚାଷୀ ଓ ଉପସ୍ଥିତ ବ୍ୟକ୍ତିମାନେ ଅସନ୍ତୋଷ ପ୍ରକାଶ କରି ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ତପସ୍ବିନୀ ବେହରାଙ୍କୁ ଫୋନ ଯୋଗେ ଜଣାଇଥିଲେ। ତୁରନ୍ତ ଖାଦ୍ୟ ନିରାପତ୍ତା ଅଧିକାରୀ ବେହେରା ପହଞ୍ଚତ୍ ଚାଷୀ ଓ ଲୋକଙ୍କ ଅଭିଯୋଗ ଶୁଣି ଖାଦ୍ୟପଦାର୍ଥକୁ ପରୀକ୍ଷା କରିଥିଲେ। ପରେ ସେ କହିଥିଲେ, ଏପରି ଏକ ବଡମେଳା ଆୟୋଜନ କରାଯାଉଥିଲେ ମଧ୍ୟ ତାଙ୍କୁ କୌଣସି ସୂଚନା ମିଳିନାହିଁ। ଶେଷରେ କୃଷି ଯନ୍ତ୍ରପାତି ମେଳା ମଞ୍ଚରେ ଥିବା ଭାରପ୍ରାପ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଶୁଣି ଭାରପ୍ରାପ୍ତ ଜିଲାପାଳ ମୁନୀନ୍ଦ୍ର ହୋନାଗା ଉପସ୍ଥିତ ଖାଦ୍ୟ ନିରାପତ୍ତା ଅଧିକାରୀ ବେହେରାଙ୍କୁ ସବୁ ଟିଫିନ ପ୍ୟାକେଟ ଜବତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ପ୍ୟାକେଟରେ ଉଲ୍ଲେଖ ଥିବା ଶ୍ରୀକୁଞ୍ଜ ରେଷ୍ଟ୍ରୁରେଣ୍ଟ ପଶି ଖାଦ୍ୟ ନିରାପତ୍ତା ଅଧିକାରୀ ବେହେରା ରୋଷେଇଶାଳଠୁ ଆରମ୍ଭ କରି ରନ୍ଧା ଯାଉଥିବା ସମସ୍ତ ଜିନିଷ ଯାଞ୍ଚ କରିଥିଲେ। ଜବତ ହୋଇଥିବା ସମସ୍ତ ଜଳଖିଆ ପ୍ୟାକେଟ୍‌କୁ ପରୀକ୍ଷା ପାଇଁ ପଠାଯିିବ ବୋଲି ସେ କହିଛନ୍ତି । ଲ୍ୟାବରେ ଟେଷ୍ଟିଂ ପରେ ଯଦି ଖାଦ୍ୟରେ କୌଣସି ବ୍ୟତିକ୍ରମ ବାହାରେ ତେବେ ସମ୍ପୃକ୍ତ ରେଷ୍ଟ୍ରୁରାଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Dharitri – The Largest & Most Trusted Odia Daily

Share