ନୂଆଦିଲ୍ଲୀ,୫।୯: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୨ ସେପ୍ଟେମ୍ବରରେ ଜିଏସଟି ୨.୦ ଲାଗୁ ହେବା ପରେ ସରକାରଙ୍କର ପ୍ରମୁଖ ଅଗ୍ରାଧିକାର ହେଉଛି ଟିକସ ହାର ହ୍ରାସର ଲାଭ ଜନସାଧାରଣଙ୍କୁ ପହଞ୍ଚିବା ସୁନିଶ୍ଚିତ କରିବା। ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି ଯେ ବୀମା ସମେତ ବିଭିନ୍ନ କ୍ଷେତ୍ର ଏହି ରିହାତି ଜନସାଧାରଣଙ୍କୁ ପୂର୍ଣ୍ଣ ରୂପେ ମିଳୁଛି କି ନାହିଁ, ତାହା ଉପରେ କଡ଼ା ନଜର ରଖାଯିବ।
ସେ କହିଛନ୍ତି, “ଆମର ମୁଖ୍ୟ ଧ୍ୟାନ ହେଉଛି ହାର ହ୍ରାସର ଲାଭ ଜନତାଙ୍କୁ ମିଳିବା। ୨୨ ସେପ୍ଟେମ୍ବର ପରେ ଆମ ପାଇଁ ଏକ ବଡ଼ ନିରୀକ୍ଷଣ କାର୍ଯ୍ୟ ରହିଛି। ଆମେ ଆତ୍ମବିଶ୍ୱାସୀ ଯେ ଏହାର ଲାଭ ସାଧାରଣଙ୍କୁ ମିଳିବ।” ସେ ଆହୁରି କହିଛନ୍ତି ଯେ ସରକାରୀ ଓ ବେସରକାରୀ କମ୍ପାନୀ ତଥା ବୀମା କମ୍ପାନୀଗୁଡ଼ିକ ସମ୍ପୂର୍ଣ୍ଣ ଲାଭ ହସ୍ତାନ୍ତରର ଆଶ୍ୱାସନା ଦେଇଛନ୍ତି। “ଯଦି କୌଣସି କମ୍ପାନୀ ଏହା ବିପରୀତ କହେ, ଆମେ ସେମାନଙ୍କ ସହ କଥା ହେବୁ। ଏହା ଦ୍ୱାରା ଉପଭୋଗ ବଢ଼ିବ ଓ ଆୟ ମଧ୍ୟ ବୃଦ୍ଧି ପାଇବ,” ସେ କହିଛନ୍ତି।
ସୀତାରମଣ ଜୋର ଦେଇ କହିଛନ୍ତି ଯେ ଜିଏସଟି ୨.୦ ମଧ୍ୟବିତ୍ତଙ୍କୁ ମୂଳ ଲକ୍ଷ୍ୟ କରି ପ୍ରସ୍ତୁତ ହୋଇଛି। “ସାଧାରଣ ଓ ମଧ୍ୟବିତ୍ତଙ୍କର ମୌଳିକ ଆବଶ୍ୟକତା ଓ ଆକାଂକ୍ଷା ଜିଏସଟି ସଂସ୍କାରର ମୁଖ୍ୟ କେନ୍ଦ୍ର। ୯୯% ଜିନିଷ ଏବେ ୫% କିମ୍ବା ତା’ଠାରୁ କମ ଟିକସ ବର୍ଗରେ ରହିଛି। କେବଳ ୧% ଜିନିଷ ୪୦% ବର୍ଗକୁ ଗଲାଣି,” ସେ କହିଛନ୍ତି।