ରାଉରକେଲା,୧।୧୨(ସଂଗୀତା ଜେନା): ରାଉରକେଲା ରେଳବାଇ ପୋଲିସ ଅଧୀକ୍ଷକ (ଏସଏସପି) କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଜିଆରପି
କନଷ୍ଟେବଳ ରବିବାର ରାତିରେ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଶେଖ ଅହମ୍ମଦ ହୁସେନ (୪୮)। ସେ ତାଙ୍କ ସ୍ତ୍ରୀ ନମିତା ମହତାବଙ୍କ ସହିତ ବାସନ୍ତୀ କଲୋନୀରେ ରହୁଥିଲେ। ଘଟଣା ସମୟରେ ତାଙ୍କ ସ୍ତ୍ରୀ ଅନ୍ୟ ଏକ କୋଠରୀରେ ଶୋଇଥିଲେ। ନମିତା ତାଙ୍କ ସ୍ବାମୀଙ୍କୁ ଉଠାଇବା ପାଇଁ କବାଟ ବାଡ଼େଇଥିଲେ, କୌଣସି ଉତ୍ତର ମିଳିଲା ନାହିଁ। ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଉତ୍ତର ନ ପାଇବା ପରେ ସେ ପଡ଼ୋଶୀମାନଙ୍କୁ ଡାକି ଦ୍ୱାର ଭାଙ୍ଗି ଦେଇଥିଲେ। ଭିତରକୁ ପଶିବା ପରେ ଶେଖ ଅହମ୍ମଦଙ୍କୁ ସ୍କାର୍ଫ ସାହାଯ୍ୟରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା। ପରେ ଉଦିତ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରି ପଞ୍ଚନାମା ପ୍ରସ୍ତୁତ କରି ପୋଷ୍ଟମର୍ଟମ ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଛି। ମୃତକଙ୍କ ଏକ ଝିଅ ଅଛନ୍ତି। ଯିଏ ବାଙ୍ଗାଲୋରରେ କାମକରନ୍ତି। ସୂଚନା ଅନୁଯାୟୀ ଉଭୟ ଦମ୍ପତି ରେଳବାଇ ପୋଲିସ ଅଧୀକ୍ଷକ (ଏସ୍ଏସ୍ପି) କାର୍ଯ୍ୟାଳୟରେ କାମ କରୁଥିଲେ। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।