ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)- ଦୈନନ୍ଦିନ ଜୀବନରେ ବିଦ୍ୟୁତ ସେବା ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ହୋଇପଡିଛି। ତେଣୁ ଲୋକେ କିଛି ସମୟ ବିଦ୍ୟୁତ କାଟ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିଭଳି ଭଞ୍ଜନଗର ଟାଟା ପାୱାର ପକ୍ଷରୁ ମରାମତି ନାମରେ ମାସରେ ଏକାଧିକ ଥର ପାୱାର କାଟ କରାଯାଉଛି। ଏଥିସହ ଅନ୍ୟାନ୍ୟ ସମୟରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଏବଂ ପ୍ରାକୃତିକ ଦୁର୍ବିପାକ ଦର୍ଶାଇ ଘଣ୍ଟା ଘଣ୍ଟା ବିଦ୍ୟୁତ ସେବା ବନ୍ଦ କରାଯାଉଛି ।
ଟାଟା ପାୱାର ରାଜ୍ୟରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ୨୫ ବର୍ଷ ପାଇଁ ନେବାପରେ ବିଦ୍ୟୁତ ସେବାରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେବାରେ ଯେତିକି ଉନ୍ନତି ଆଶା କରାଯାଉଥିଲା ସେତିକି ହେବାକୁ ନାହିଁ। ଅନ୍ୟପଟେ ବିଦ୍ୟୁତ ତାରିଫ ମଧ୍ୟ ବଢୁଛି। ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ଉପରେ ବିଦ୍ୟୁତ ବୋଝ ବଢୁଛି। ଏହିଭଳି ଅନେକ ସମସ୍ୟା ଗ୍ରାହକମାନେ ଭୋଗୁଛନ୍ତି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ସକାଳ ୮ ଟା ରୁ ଦିନ ୧୧ ଟା ପର୍ଯ୍ୟନ୍ତ ୩୩ କେଭି ମରାମତି ପାଇଁ
ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଟାଟା ପାୱାର ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା। କିନ୍ତୁ ଆଜି ସକାଳୁ ହଠାତ୍ ୬.୪୫ରେ ବିଦ୍ୟୁତ କାଟି ଦିଆଯାଇଥିଲା। ଘୋଷଣା ସମୟର ୧ ଘଣ୍ଟା ପୁର୍ବରୁ ହଠାତ୍ ଯାନ୍ତ୍ରୀକ ତୃଟି ଦର୍ଶାଇ ବିଦ୍ୟୁତ କାଟି ଦେବାଦ୍ବାରା ଗ୍ରାହକ ମାନେ ନାହଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଆଗାମୀ ଦିନରେ ଗ୍ରାହକମାନେ ଏନେଇ ଆନ୍ଦୋଳନ ଧମକ ଦେଇଛନ୍ତି।