ବୁଲନ୍ଦସର,୨/୯:ଉତ୍ତର ପ୍ରଦେଶର ବୁଲନ୍ଦସରସ୍ଥିତ ନୟାଗଞ୍ଜ ଅଞ୍ଚଳରେ ଥିବା ଏକ ଛୋଟ ଗ୍ରୋସେରି ଦୋକାନର ମାଲିକ ସୁଧୀରଙ୍କୁ ଆୟକର ବିଭାଗ ୧୪୧ କୋଟି ଟଙ୍କାର ଟିକସ ନୋଟିସ ପଠାଇଛି। ନିଜ ଛୋଟ ଗ୍ରୋସେରି ଦୋକାନକୁ ଚଳାଇ ପରିବାରର ଭରଣ ପୋଷଣ କରୁଥିବା ସୁଧୀରଙ୍କୁ ଗତ ଜୁଲାଇ ୧୦ରେ ଏହି ନୋଟିସ ଆସିଛି। ସେ ସମୁଦାୟ ୧୪୧ କୋଟି ୩୮ ଲକ୍ଷ ୪୭ ହଜାର ୧୨୬ ଟଙ୍କାର ବ୍ରିକ୍ରୟ କରିଛନ୍ତି ବୋଲି ଆୟକର ବିଭାଗ ପକ୍ଷରୁ ତାଙ୍କୁ ଏକ ଟିକସ ନୋଟିସ ଆସିଥିଲା, ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସାଇବର ଅପରାଧୀମାନେ ତାଙ୍କ ପାନ୍ କାର୍ଡର ଦୁରୁପଯୋଗ କରି ଦିଲ୍ଲୀରେ ୬ କମ୍ପାନୀକୁ ସ୍ଥାପନ କରିଛନ୍ତି। ତେଣୁ ତାଙ୍କୁ ଏପରି ନୋଟିସ ଆସିଥିବା ସୁଧୀର କହିଛନ୍ତି। ଏହି କମ୍ପାନୀଗୁଡ଼ିକ ଦ୍ୱାରା ଅନେକ କୋଟି ଟଙ୍କାର ଠକେଇ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ୨୦୨୨ରେ ଏ ସଂକ୍ରାନ୍ତରେ ତାଙ୍କୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ଆସିଥିଲା, ଯାହାର ଉତ୍ତର ସେ ରଖିଥିଲେ। ତାଙ୍କ ପାନ୍ କାର୍ଡକୁ ବ୍ୟବହାର କରାଯାଇ ଖୋଲାଯାଇଥିବା କମ୍ପାନୀଗୁଡ଼ିକ ସହ ତାଙ୍କର କୌଣସି ସମ୍ପର୍କ ନ ଥିବା ନେଇ ସେତେବେଳେ ସେ ଆୟକର ବିଭାଗକୁ ଜଣାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଆୟକର ବିଭାଗ ତାଙ୍କୁ ୧୪୧ କୋଟି ଟଙ୍କାର ନୋଟିସ ପଠାଇଥିବା ସୁଧୀର କହିଛନ୍ତି। ଉକ୍ତ ନୋଟିସ ଆସିବା ପରେ ତାଙ୍କ ପାନ୍ କାର୍ଡର ଦୁରୁପଯୋଗ ହେଉଥିବା ନେଇ ସେ ସ୍ଥାନୀୟ ଖୁର୍ଜା ଥାନାରେ ଅଭିଯୋଗ କରିଛନ୍ତି। ସୁଧୀରଙ୍କ ପାନ୍ କାର୍ଡକୁ ବ୍ୟବହାର କରି ସ୍ଥାପନ ହୋଇଥିବା କମ୍ପାନୀଗୁଡ଼ିକ ବିରୋଧରେ ଠକେଇ ଏବଂ ଜାଲିଆତି ମାମଲା ରୁଜୁ କରାଯାଇଛି ବୋଲି ପୋଲିସ କହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ପାନ୍ କାର୍ଡ ଜାଲିଆତିରେ ଜଣେ ବ୍ୟକ୍ତି ବେଆଇନ ଭାବରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଶେଲ୍ କମ୍ପାନୀ ସ୍ଥାପନ କରିବା, ଋଣ ପାଇବା କିମ୍ବା ଟିକସ ଫାଙ୍କିବା ଆଦି ପାଇଁ ଅନ୍ୟ ଜଣଙ୍କର ପାନ୍ ବିବରଣୀକୁ ବ୍ୟବହାର କରିଥାନ୍ତି। ସାଧାରଣତଃ ଅପ୍ରତ୍ୟାଶିତ ଭାବେ ଟିକସ ନୋଟିସ ଆସିବା ପରେ ଯାଇ ପୀଡ଼ିତମାନେ ଏପରି ଠକେଇର ସମ୍ମୁଖୀନ ହୋଇଥିବା ନେଇ ଜାଣିପାରିଥାନ୍ତି। ଏପରି ବିପଦକୁ କମ୍ କରିବା ପାଇଁ ନିୟମିତ ଭାବେ କ୍ରେଡିଟ୍ ରିପୋର୍ଟକୁ ଯାଞ୍ଚ୍ କରିବା ଓ ଆଧାର ସହ ପାନ୍ କାର୍ଡକୁ ଲିଙ୍କ୍ କରିବା ନିତାନ୍ତ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।