ଭୁବନେଶ୍ୱର,୧୪ା୭(ରବିନାରାୟଣ ଜେନା): ଜନଶୁଣାଣି ପ୍ରତି ଲୋକଙ୍କ ଯେତିିକି ବିଶ୍ୱାସ ରହିଛି, ଆଗାମୀ ଦିନରେ ଏହା କିଭଳି ଜନତାଙ୍କ ହୃଦୟ ଜିଣିବ ସେ ନେଇ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକେ ଘରେ ବସି ସେମାନଙ୍କ ଅଭିଯୋଗର ଯେଭଳି ଟିକିନିଖି ଖବର ପାଇପାରିବେ ସେଥିପାଇଁ ନୀତିରେ କେତେକ ପରିବର୍ତ୍ତନ କରାଯିବ। ଏବେ ଲୋକଙ୍କୁ କେବଳ ତାଙ୍କ ଅଭିଯୋଗ ପ୍ରାପ୍ତିର ଗୋଟିଏ ଲେଖାଏ ପ୍ରାପ୍ତିପତ୍ର(ଆକ୍ନଲେଜ୍ମେଣ୍ଟ) ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଏସବୁ ଆଉ ଚଳିବ ନାହିଁ। ଜନଶୁଣାଣି ପୋର୍ଟାଲରେ ଖୁବ୍ଶୀଘ୍ର ଆମାଜନ ଟ୍ରାକିଂ ନୀତି କାର୍ଯ୍ୟକାରୀ ହେବ, ଯାହାଫଳରେ ଲୋକେ ସେମାନଙ୍କ ଅଭିଯୋଗ ଟ୍ରାକିଂ କରିପାରିବେ। ଏହି କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଓକାକ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୪ ତାରିଖରେ ଯୋଜନା ଓ ସଂଯୋଜନା ବିଭାଗ ଓଏସ୍ଡି ଡି.କେ. ଜେନା ସଚିବସ୍ତରୀୟ ବୈଠକରେ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶକୁ ନେଇ ଓକାକ୍ ଦେଇଥିବା ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି, ଚଳିତମାସ ୩୧ ସୁଦ୍ଧା ଜନଶୁଣାଣି ପୋର୍ଟାଲ ଉନ୍ନୀତ ହେବା ଆବଶ୍ୟକ। ମୁଖ୍ୟସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ପୋର୍ଟାଲରେ ଆମାଜନ ଓ ଫ୍ଲିପ୍କାର୍ଟ ଭଳି ଟ୍ରାକିଂ ସୁବିଧା ରହିବ, ଯାହାଫଳରେ ଲୋକେ ସେମାନଙ୍କ ଅଭିଯୋଗ କେଉଁ ଅଧିକାରୀଙ୍କ ନିକଟରେ କେତେଦିନ ପଡ଼ି ରହିଲା ତାହା ଘରେ ବସି ଜାଣିପାରିବେ। ଫଳରେ ଲୋକେ ଅଯଥା ଖର୍ଚ୍ଚାନ୍ତ ହେବେ ନାହିଁ କିମ୍ବା ସରକାରୀ ଅଧିକାରୀ ତଥା ଅଭିଯୋଗ ପ୍ରକୋଷ୍ଠରେ ଆଉ ଭିଡ଼ କରିବେ ନାହିଁ।
ବୈଠକର ସୂଚନା ଅନୁଯାୟୀ, ଯଦି କୌଣସି ଅଧିକାରୀଙ୍କ ସ୍ତରରେ ଲୋକଙ୍କ ଅଭିଯୋଗ ଦୀର୍ଘଦିନ ଧରି ପଡ଼ି ରହିବ, ତେବେ ସେକ୍ଷେତ୍ରରେ ଅଟୋମେଟିକ୍ ଫାଇଲ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟକୁ ଚାଲିଯିବ। ଅତି ବେଶିରେ ଜଣେ ଅଧିକାରୀଙ୍କ ନିକଟରେ ଏକ ସପ୍ତାହ ପର୍ଯ୍ୟନ୍ତ ଫାଇଲରହିପାରିବ। ଯଦି ସମ୍ପୃକ୍ତ ଅଧିକାରୀ ଫାଇଲଟିକୁ ସମୟ ଭିତରେ ତା’ର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟକୁ କେବଳ ଫାଇଲ ଚାଲିଯିବ ତାହା ନୁହେଁ, ସମ୍ପୃକ୍ତ ଅଧିକାରୀଙ୍କ ପର୍ଫର୍ମାନ୍ସରେ ଏହା ‘ରେଡ୍’ ଚିହ୍ନିତ ହୋଇ ରହିବ। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଅଧିକାରୀଙ୍କ ପର୍ଫର୍ମାନ୍ସ ସାର୍ଟିଫିକେଟ୍ ପ୍ରସ୍ତୁତି ତଥା ପଦୋନ୍ନତି ବେଳେ ଏସବୁ ବିଷୟକୁ ବିଚାରକୁ ନିଆଯିବ।
ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇତିମଧ୍ୟରେ ୧୨ଟି ଜନଶୁଣାଣି କଲେଣି। ଏକାଦଶ ପାଳି ସୁଦ୍ଧା ୧୦,୮୯୪ଟି ଅଭିଯୋଗ ଆସିଥିଲା, ସେଥିମଧ୍ୟରୁ ୧୦,୧୩୨ଟି ଅଭିଯୋଗର ସମାଧାନ କରାଯାଇଛି, ଯାହା ଶତକଡ଼ା ୯୩ ପ୍ରତିଶତ। ସେହିପରି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ଚଳିତବର୍ଷ ଆରମ୍ଭରୁ ସୋମବାର ସୁଦ୍ଧା ୪୮ ଜଣଙ୍କୁ ୫୩ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏକପ୍ରକାର ଅଚଳ ହୋଇ ପଡ଼ିଥିବାବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ଜନ୍ମାଉଥିବା ବେଳେ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ଆମାଜନ ଟ୍ରାକିଂ ନୀତି ଏହାକୁ ଅଧିକ କ୍ରିୟାଶୀଳ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।