ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ ଫସର୍ ଫାଟିଲା। ରାଜ୍ୟରେ ଭାଜପା ସରକାର ଗଠନ ପରେ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସୂର୍ଯ୍ୟ ଉଦୟ ହୋଇଛି ବୋଲି କୁହାଯାଇଛି। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ପାଇଁ ମହାକାଳପଡ଼ା ବ୍ଲକ ମହାନଦୀ ପାଶର୍ବବର୍ତ୍ତୀ ଗ୍ରାମଗୁଡ଼ିକ ବୁଲି ସ୍ଥାନ ଦେଖିଥିଲେ। ବିଶେଷ କରି ବ୍ଲକର ଷାଠିଏବାଟି, ଗୋଖାଖଟି, ଆଖଡ଼ାଶାଳୀ ଆଦି ଅଞ୍ଚଳ ବୁଲି ଜିଲା ପ୍ରଶାସନ ଅନୁଧ୍ୟାନ କରିଥିଲା। ଏଠାରେ ଏକ ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ହେବ ବୋଲି କୁହାଯାଉଛି। ଏହାର ଦାୟିତ୍ୱ ଏଲ୍ଆଣ୍ଡଟି କମ୍ପାନୀ ନେବ। ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ରଘୁରାମ ଆର. ଆୟର, ଉପ ଜିଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ। ଏ ସଂକ୍ରାନ୍ତରେ ଜିଲାପାଳ ଆୟରଙ୍କୁ ପଚାରିବାରେ ସବୁଜ ଆମୋନିଆ ପ୍ଲାଣ୍ଟ ସ୍ଥାନ ପରିଦର୍ଶନ କରିଥିବା ସେ କହିଛନ୍ତି।