ଚାଇନାକୁ ବଡ଼ ଝଟ୍‌କା, ୫ଟି ଉତ୍ପାଦ ଉପରେ ଆଣ୍ଟି ଡମ୍ପିଙ୍ଗ୍‌ ଶୁଳ୍କ ଲାଗୁ କଲା ଭାରତ…

ନୂଆଦିଲ୍ଲୀ, ୨୭।୧୨: ଘରୋଇ ଉଦ୍ୟୋଗଗୁଡ଼ିକର ବିକାଶକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଚାଇନାକୁ ବଡ଼ ଝଟ୍‌କା ଦିଆଯାଇଛି। ଚାଇନାରୁ ଶସ୍ତା ଆମଦାନୀ ରୋକିବା ଲାଗି କେତେକ ଆଲୁମିନିୟମ୍‌ ଏବଂ ରାସାୟନିକ ସାମଗ୍ରୀ ସହିତ ୫ଟି ଉତ୍ପାଦ ଉପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆଣ୍ଟି ଡମ୍ପିଙ୍ଗ୍‌ ଶୁଳ୍କ ଲାଗୁ କରାଯାଇଛି।

କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, କିଛି ଫ୍ଲାଟ ରୋଲଡ ଆଲୁମିନିୟମ ଉତ୍ପାଦ ଉପରେ ଶୁଳ୍କ ଲାଗୁ କରାଯାଇଛି । ବାଣିଜ୍ୟ ମନ୍ତ୍ରଣାଳୟର ଯାଞ୍ଚ୍‌ ଶାଖା, ବାଣିଜ୍ୟ ପ୍ରତିକାର ନିର୍ଦ୍ଦେଶାଳୟ (ଡିଜିଟିଆର)ଙ୍କ ସୁପାରିଶ ପରେ ଏହି ଶୁଳ୍କ ଲାଗୁ କରାଯାଇଛି।

ଡିଜିଟିଆର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ଉତ୍ପାଦଗୁଡିକ ସାଧାରଣ ମୂଲ୍ୟଠାରୁ କମ ମୂଲ୍ୟରେ ଭାରତୀୟ ବଜାରକୁ ରପ୍ତାନି କରାଯାଇଛି, ଫଳସ୍ବରୂପ ଡମ୍ପିଙ୍ଗ୍‌ ହେଉଛି ।

ଡିଜିଟିଆର୍‌ ଶୁଳ୍କ ଆଦାୟ ପାଇଁ ସୁପାରିଶ କରୁଥିବା କ୍ଷେତ୍ରରେ ଅର୍ଥ ମନ୍ତ୍ରଣାଳୟ ଏହାକୁ କାର୍ଯ୍ୟକାରୀ କରିଥାଏ। ଘରୋଇ ଶିଳ୍ପ ମୂଲ୍ୟଠାରୁ ଆମଦାନୀ ମୂଲ୍ୟ କମ ରହିଛି କି ନାହିଁ ତାହା ସ୍ଥିର କରିବା ପାଇଁ ଆଣ୍ଟି-ଡମ୍ପିଙ୍ଗ୍‌ ଯାଞ୍ଚ୍‌ କରାଯାଇଥାଏ। ନ୍ୟାୟଯୁକ୍ତ ବାଣିଜ୍ୟକୁ ସୁନିଶ୍ଚିତ କରିବା ଏବଂ ଘରୋଇ ଶିଳ୍ପକୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଆଣ୍ଟି-ଡମ୍ପିଙ୍ଗ୍‌ ପଦକ୍ଷେପ ଗ୍ରହଣ କରାଯାଇଥାଏ।

ଉଭୟ ଭାରତ ଏବଂ ଚାଇନା ଜେନେଭା ସ୍ଥିତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ର ସଦସ୍ୟ ଅଟନ୍ତି। ଚାଇନାରୁ ଆମଦାନୀ ହୋଇଥିବା ଉତ୍ପାଦ ବିରୋଧରେ ଭାରତ ସର୍ବାଧିକ ଆଣ୍ଟି-ଡମ୍ପିଙ୍ଗ୍‌ ମାମଲା ଆରମ୍ଭ କରିଛି।

ଏପ୍ରିଲ-ସେପ୍ଟେମ୍ବର ୨୦୨୧ ମଧ୍ୟରେ, ଚାଇନାକୁ ଭାରତରୁ ରପ୍ତାନୀ ହୋଇଥିବା ପରିମାଣ ୧୨.୨୬ ବିଲିୟନ ଡ଼ଲାର ଥିଲା। ଅପରପକ୍ଷରେ ଚାଇନାରୁ ଭାରତକୁ ରପ୍ତାନୀ ହୋଇଥିବା ପରିମାଣ ୪୨.୩୩ ବିଲିୟନ ଡ଼ଲାରରେ ପହଞ୍ଚିଛି। ଯାହାଦ୍ୱାରା ବାଣିଜ୍ୟ ନିଅଣ୍ଟ ୩୦.୦୭ ବିଲିୟନ ଡ଼ଲାରରେ ପହଞ୍ଚିଛି।

Share