ନୂଆଦିଲ୍ଲୀ,୧୩।୩: କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଯୋଜନାର ୨୨ତମ କିସ୍ତି ଜାରି କରିଛନ୍ତି। ଏହା ମାଧ୍ୟମରେ ଦେଶର ୯.୩୨ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୮,୬୪୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଆସାମର ଗୁଆହାଟୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏକ ‘ସିଙ୍ଗଲ କ୍ଲିକ’ ଜରିଆରେ ଏହି ଅର୍ଥରାଶି ପଠାଇଛନ୍ତି।
ସୂଚନାଯୋଗ୍ୟ, ଏହି ଯୋଜନା ଅଧୀନରେ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ, ଯାହାକି ୨,୦୦୦ ଟଙ୍କା ଲେଖାଏ ତିନୋଟି କିସ୍ତିରେ ଚାଷୀଙ୍କ ଖାତାକୁ ଆସିଥାଏ। ଯଦି ଆପଣଙ୍କ ବ୍ୟାଙ୍କ ଖାତାକୁ ଏପର୍ଯ୍ୟନ୍ତ ୨୨ତମ କିସ୍ତିର ଟଙ୍କା ଆସିନାହିଁ କିମ୍ବା ମୋବାଇଲକୁ ମେସେଜ ଆସିନାହିଁ, ତେବେ ଏହାର କିଛି ଯାନ୍ତ୍ରିକ କିମ୍ବା ନିୟମଗତ କାରଣ ଥାଇପାରେ:
e-KYC: ଯଦି ଆପଣ ନିଜର ଇ-କେୱାଇସି (e-KYC) ପ୍ରକ୍ରିୟା ପୂରା କରିନାହାନ୍ତି।
ଭୂମି ଦସ୍ତାବେଜ: ଚାଷ ଜମି ସମ୍ପର୍କିତ କାଗଜପତ୍ର ଅପଡେଟ ନ ଥିଲେ।
ବ୍ୟାଙ୍କ ଆଧାର ଲିଙ୍କ:ବ୍ୟାଙ୍କ ଖାତା ସହ ଆଧାର କାର୍ଡ ସଂଯୋଗ ହୋଇ ନ ଥିଲେ।
ଆୟକର: ଯଦି ଆପଣ ଆୟକର (Income Tax) ପରିସରଭୁକ୍ତ ହୋଇଥାନ୍ତି।
ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଛନ୍ତି ଯେ, ପିଏମ୍ କିଷାନ ଯୋଜନା ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୪.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଜମା ହୋଇସାରିଲାଣି। କେବଳ ଆସାମରେ ପ୍ରାୟ ୧୯ ଲକ୍ଷ ଚାଷୀ ଏପର୍ଯ୍ୟନ୍ତ ୮,୦୦୦ କୋଟିରୁ ଅଧିକ ଟଙ୍କାର ସହାୟତା ପାଇସାରିଛନ୍ତି। ଏଥର ମୋଟ ୯,୩୨,୨୫,୯୧୩ ଜଣ ଚାଷୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
Dharitri – Odisha’s No.1 Odia Daily